ମା'ଗୋ ସରସ୍ୱତୀ
ମା'ଗୋ ସରସ୍ୱତୀ
ମା'ଗୋ ସରସ୍ବତୀ
ମା'ଗୋ ସରସ୍ବତୀ , କରୁଛି ବିନତି ।
ବାରେ ଦିଅ ଶାନ୍ତି ଲବେ ଭକ୍ତି ରତି ,
ମା'ଗୋ ସରସ୍ବତୀ ....( ଘୋଷା )
କରୁଣା ହେଲେ ଛାର ଅନ୍ଧକାର ହେବ ଦୂର
ଫୁଟିବ କଣ୍ଠେ ମୋର ସୁମଧୁର ଭାବଗୀର ।
ଲିଖନ ଶକ୍ତି ସାର ହେବ ମୋର ଖରତର
ଶବଦ ପାରାବାର ବାରମ୍ବାର ହେବି ପାର ।
ତୁମ୍ଭ ପାଦେ ମତି ଅନୁନୟ ନିତି ,
ମା'ଗୋ ସରସ୍ବତୀ ....।
ତୁମ୍ଭଙ୍କୁ କରି ସ୍ତୁତି ବାଲମିକୀ ମହାଯତୀ
ଶ୍ରୀରାମ ନାମ ଚିନ୍ତି ପାଇଲେ ପରମଗତି ।
ଅଧମ ମୂଢ଼ମତି କାଳିଦାସ କଲେ ଭକ୍ତି
ଅଚିରେ ରଖି କୀର୍ତ୍ତି ରଚିଗଲେ କାବ୍ୟଗୀତି ।
ଜାଣେ ନାହିଁ ଭକ୍ତି ଚରଣରେ ପ୍ରୀତି ,
ମା'ଗୋ ସରସ୍ବତୀ ....।
ଶାରଳା ଶୂଦ୍ରମୁନି ତୁମ୍ଭ ପ୍ରୀତି ଭକ୍ତି ଜାଣି
ଲେଖିଲେ ଭାବେ ପୁଣି ମହାଭାରତ ବଖାଣି ।
ଗୀତ ଗୋବିନ୍ଦ ବାଣୀ ଜୟଦେବ ଗଲେ ଭଣି
ଗଢିଛ ବୀଣାପାଣି ମହାରତ୍ନ ଯେତେ ଜ୍ଞାନୀ ।
ଦିଅ ଅନୁମତି ଲେଖିବା ଶକତି ,
ମା'ଗୋ ସରସ୍ବତୀ ....।
ଲଭିଲେ ତୁମ୍ଭ ବର ପଞ୍ଚସଖା ଭକ୍ତବର
ଆବର ଭଞ୍ଜବୀର ଦୀନକୃଷ୍ଣ ଗଙ୍ଗାଧର ।
ଝଙ୍କାର ସପ୍ତ ସ୍ବର ତାନ ଲୟ କଣ୍ଠେ ଯା'ର
ଗାୟନେ ସଙ୍ଗୀତର ସୁମଧୁର ଏ ସଂସାର ।
ବିଦ୍ୟା ବୁଦ୍ଧି ଦାତ୍ରୀ ସ୍ଥିର କର ମତି ,
ମା'ଗୋ ସରସ୍ବତୀ ....।
ପ୍ରସନ୍ନ କୁମାର ମାଦଳା
