ଲକ୍ଷ୍ମଣ ରେଖା
ଲକ୍ଷ୍ମଣ ରେଖା
କାଳର କରାଳେ ବିଧିର ବିଧାନେ ବିପଦେ ସତର୍କ ରେଖା
ସତ୍ୟ ଓ ନ୍ୟାୟର ସୁରକ୍ଷା ବଳୟ କାଳ୍ପନିକ ଚିତ୍ର ଲେଖା ।
ମାୟା ମୃଗ ଯେବେ ମରୀଚିକା ପରି ନୃତ୍ୟାଙ୍ଗନା ଅପସରୀ
ନୟନ ପଟରେ କେବେ ଦୃଶ୍ୟ, ପୁଣି ଛାଇ ସମ ଅପସରି
ମନର ମାନସେ ଆଙ୍କି ହୋଇଯାଏ ଘନବଳୟଟି ସମ
ହୃଦୟ ଆକାଶେ କେନ୍ଦ୍ରୀଭୂତ କରେ ଜାଜ୍ଜଲ୍ୟମାନ ତପନ ।
ମୋହର ମହଣେ ଲୋଭନୀୟ ଲୋଭେ ବଶୀଭୂତ କ୍ଷୀପ୍ରବେଗେ
ଅହଂ ଅହଙ୍କାରେ କାମନାରେ ନର ବିଚଳିତ ତଡବେଗେ
ଧାବନ ଅଶ୍ୱଟିଏ ଚଞ୍ଚଳା ମନ ବିକର୍ମ ସଂଯୋଗ ବେଳେ
ଗୁପ୍ତ ଲୁପ୍ତ ପ୍ରାୟ ଲକ୍ଷ୍ମଣ ରେଖାଟି ଭଲମନ୍ଦ ଯେବେ ତୋଳେ ।
ସଉଭାଗ୍ୟବତ୍ ଆଦରି ଲକ୍ଷଣ କର୍ମ କରେ ପ୍ରତିକ୍ଷଣେ
ସୃଷ୍ଟିର ନିୟତେ ଲବ୍ଧ ହୁଏ ଫଳ କର୍ମର ପ୍ରତିରୋପଣେ
ଭାଗ୍ୟ ପାରାବାରେ କର୍ମର ଜୁଆର ଉନ୍ମେଷିତ ଶକ୍ତିମୟ
ସ୍ୱତଃ ଆଙ୍କିଦିଏ ଲକ୍ଷ୍ମଣ ରେଖାଟି କର୍ମକୁ କରିଣ ଲୟ ।
