ଲାବଣ୍ୟମୟୀ ମୌସୁମୀ
ଲାବଣ୍ୟମୟୀ ମୌସୁମୀ
ଅଦ୍ଭୁତ ବିନ୍ଧାଣି ବିଶ୍ୱ ନିୟନ୍ତା ସେ
ଅଦ୍ଭୁତ ତାଙ୍କ ସୃଜନୀ
ଗ୍ରୀଷ୍ମ ପରେ ପରେ ତାଙ୍କରି ନିର୍ଦେଶେ
ମୌସୁମୀ ଛୁଏଁ ଧରଣୀ |
ଲାବଣ୍ୟମୟୀ ସେ ଅବଗୁଣ୍ଠନରେ
ଛୁଏଁ ଯେବେ ଧରା ଧିରେ
ବରଷି ଯାଏ ସେ ପ୍ରୀତିର ସମ୍ଭାର
କାମନାର ଆଶା ଭରେ |
କୃଷକ ମନରେ ସପନର ଢେଉ
ଦୋହଲି ଦୋହଲି ଖେଳେ
ଶୁଖିଲା କ୍ଷେତ ତା ହେବ ଶ୍ୟାମଳିମା
ହଳ ବାନ୍ଧି ପଛେ ଚାଲେ |
ପ୍ରକୃତିର ରୂପ ହେବ ମନୋହର
ପାଇ ମୌସୁମୀର ଛୁଆଁ
ଗହନ ବନାନୀ ହସିବ ଆନନ୍ଦେ
ପାଇ ଶ୍ୟାମ ରୂପ ନୂଆ |
ନୀଳ କନ୍ଦରରେ ପ୍ରଭୁ ଜଗନ୍ନାଥ
ଲୁଚି ଲୁଚି ହସୁଥିବେ
ସବୁରି ମୁଖରେ ହସ ଦେଖି ସିଏ
କଳା ମେଘ ଆଙ୍କୁଥିବେ |
ମନ ଛନ୍ନ ଛନ୍ନ ହେଲାଣି ତାଙ୍କର
ହେବାପାଇଁ ସଜବାଜ
ଆସୁଛି ପାଖେଇ ବର୍ଷେ ପ୍ରତୀକ୍ଷାରେ
ମହାପର୍ବ ରଥ ଯାତ |
ଦେଖିବେ ନୟନେ ପ୍ରିୟ ପରିଜନେ
ଦେଖାଦେବେ ଭକ୍ତଗଣେ
ପତିତ ଉଦ୍ଧାର କରିବେ ସେଦିନ
ଆଶା ଭରି ଭକ୍ତ ମନେ |
ରଥ ଚାଲୁଥିବ ବଡ ଦାଣ୍ଡେ ଯେବେ
ମୌସୁମୀ ବରଷୁ ଥିବ
ଭିଜୁଥିବେ ଭକ୍ତେ ପ୍ରୀତିର ଜୁଆରେ
ଆଖି ଲୁହ ଝରୁଥିବ |
ମୌସୁମୀର ସ୍ପର୍ଶେ ଆନନ୍ଦିତ ଧରା
ଆଖିରେ ପ୍ରୀତିର ଭାଷା
ଧରିବ ତା ଗର୍ଭେ ଲାବଣ୍ୟ କେଦାର
ମନେ ଭରେ ଏଇ ଆଶା |
