କୁନି ବଲ୍ ଓ କୁନା
କୁନି ବଲ୍ ଓ କୁନା
କୁନି ବଲ୍ ମୁଁ ଡାକୁଛି ତୋତେ
ଆ' କୁନା ତୁ ଆ'ରେ
କହିବି ତୋତେ କଥା ଗୋଟିଏ
ମୋ କଥା ଶୁଣି ଯା'ରେ ।।
କେତେ ଦିନରୁ ପାଇନି ତୋର
କଅଁଳ ପାଦ ପରଶ
ସେଲାଗି ପରା ମନରେ ମୋର
ନାହିଁରେ ଟିକେ ହରଷ ।।
କୁନି ସାଥି ମୋ କହରେ କହ
ଆସୁନୁ ପାଶେ କାହିଁକି
ମୁଁ ପରା ତୋର ଅସଲ ମିତ
ମୋ କଥା ମନେ ନାହିଁକି ।।
ମିଳିମିଶିକା ଖେଳିବା ଦୁହେଁ
ଆ' ବେଗେ ତୁ ଚାଲିଆ
ପଡିଆ ପରେ ଦଉଡି ଧାଇଁ
ହେବାରେ ଆମେ ହାଲିଆ ।।
ଥିବୁ ତୁ ପଛେ ଗଡିଗଡିକା
ଆଗେ ମୁଁ ଯାଇ ରହିବି
ଖେଳଟା ଭଲ ଜମୁଛି ବୋଲି
ହସିହସିକା କହିବି ।।
ଆଉରେ କିସ ଭାବୁ ତୁ ପୁଣି
କରୁଛୁ ଡେରି କାହିଁକି
ଏମିତି କିଆଁ ହୋଇଛୁ ଠିଆ
ଆ'ରେ ବେଗେ ଧାଇଁକି ।।
ମଜା ମଉଜେ ଖେଳିଖେଳିକା
ଯାଉ ଏ ବେଳ ଯାଉରେ
ସାଥି ମୁଁ ତୋର ମୋ ପାଇଁ ସଦା
ଥାଉ ତୋ ମନ ଥାଉରେ ।।
