କୁନା ଆଉ ପ୍ରଜାପତି
କୁନା ଆଉ ପ୍ରଜାପତି
କୁନା ବୁଲୁଥିଲା ଫୁଲ ବଗିଚାରେ
ଆସିଲା ପରଜାପତି
ଫୁଲରୁ ଫୁଲକୁ ଉଡ଼ି ବୁଲେ ଦେଖି
ହେଲା ଆନନ୍ଦିତ ଅତି।
ଧରିବା ପାଇଁକି ହାତ ବଢ଼େଇଲେ
ଉଡ଼ି ଉଡ଼ି ଯାଏ ଦୂରେ
ଯେତେ ଚୁପି ଚୁପି ଗଲେ ବି କେମିତି
ସବୁକିଛି ଜାଣିପାରେ ।
ଦଉଡି ଦଉଡି ହାଲିଆ ହୋଇଲା
ଗୋଡ଼ ହାତ ଗଲା ଥକି
ବଗିଚାର ଘାସ ଗାଳିଚା ଉପରେ
ଆରାମ କରିଲା ବସି ।
ପରଜାପତି ଟି ଖେଳୁୁୁଥିଲା ବୁଲି
ଆସିଲା ପାଖକୁ ଉଡ଼ି
ଭାବିଲା ସତେ କି କୁନି ସାଙ୍ଗଟା ମୋ
ଚାଲୁ ଚାଲୁ ଗଲା ପଡ଼ି ।
ଅତି ଆଦରରେ ମିତ ବସିବାକୁ
କୁନା ହାତ ବଢ଼େଇଲା
ପ୍ରଜାପତି ବି ଉଡ଼ି ଆସି ତାର
ଆଙ୍ଗୁଳିରେ ବସିଗଲା।
ନାଲି ନେଳୀ କଳା ହଳଦିଆ ଧଳା
ସବୁଜ ନାରଙ୍ଗୀ ଆଣି
କିଏ ବୋଳି ଦେଲା ଡେଣାରେ ଲୋ ତୋର
ଏତେ ସବୁ ରଙ୍ଗ କିଣି ।
କୁନି କୁନି ଶୁଣ୍ଢ ହଲେଇ ହଲେଇ
କହିଲା ପରଜାପତି
ସବୁରି କରତା ଜଗତର ପିତା
ସଭିଏଁ ତାଙ୍କ ଉତ୍ପତି।
ଯେମିତି ତୋହର ନାକ କାନ ଓଠ
ଓଠରେ ମଧୁର ହସ
ସେମିତି ଗୋଲାପ ମାଳତୀ ଫୁଲରେ
ମଧୁର ମଧୁର ବାସ ।
ଦେଖୁନୁ ଡାଳରେ କୋଇଲି ବସିଛି
ଗୀତ ଗାଏ କୁହୁ କୁହୁ
ହଲି ହଲି ନାଚେ ଗଛର ପତର
ମନ୍ଦ ବାଆ ବହୁ ବହୁ।
ଆଜି ଠାରୁ ଆମେ ସଙ୍ଗାତ ବସିବା
ଖେଳିବା ନିଇତି ଏଠି
ନୂଆ ନୂଆ କଥା ଦେଖିବା ଶିଖିବା
ବଗିଚାରେ ବସି ବସି ।