କୁହୁକ ବାସ୍ତବବାଦର ଖଦ୍ୟୋତ
କୁହୁକ ବାସ୍ତବବାଦର ଖଦ୍ୟୋତ
ଶେଷ ଇଛା ଆଜି ଅଛି ଖଦ୍ୟୋତର
ଶୀତଳ ଆଲୁଅ ବିଞ୍ଚିଦେବ
ଏକ ସମୟରେ
କି' ବୁଢା, କି' ପିଲା ଅବା ଯୁବା
ଏକ ସମୟରେ ସମସ୍ତେ ହେବେ ଆଲୋକିତ ।
କାହାଣୀର ପ୍ରାଚୀନତାକୁ ଦେବ ଯୌବନ
ଦେଖେଇବ ତା ଦେହେ ବାଲ୍ୟ ଆଉ ବୃଦ୍ଧାଶ୍ରମ
ଜାଦୁକର ପରି
ଘଟଣା ପ୍ରବାହ ସବୁକୁ ଜୀବନରେ
ଜୀବନକୁ ଘଟଣାବଳୀର କାହାଣୀରେ
ଐନ୍ଦ୍ରଜାଲିକର ମାୟା ପରଦାରେ
ତମକୁ କରିବ ମୋହ ଯୁକ୍ତ ।
କୌଶଳ ଏମିତି ଯେ
ସତ୍ୟର ସନ୍ଧାନରେ ତମେ ହେବ ବାଟବଣା
ସତ ଆଉ ମିଛର ଦୁନିଆକୁ ଯାଇ
ସ୍ଵପ୍ନର ବାସ୍ତବତାକୁ କରିବା ଗ୍ରହଣ
ଏମିତି ଏ ଆଲୁଅର ଶୀତଳତା
ଖଦ୍ୟୋତର ଇଛାକୁ କରିବା ପୂରଣ
ସିଦ୍ଧ-ମହାମନ୍ତ୍ର, କପଟୀର ଷଡଯନ୍ତ୍ର ସବୁକୁ
ମାୟା-ମୋହ-ମହିମାରେ କରିବ ବନ୍ଧନ
ସେଇ ବନ୍ଧନରେ ତମେ ନିଜକୁ କରିବ
ମନୋରଞ୍ଜନ ଓ ଜ୍ଞାନରଞ୍ଜନ ।
ତମେ ନିଶ୍ଚେ ବୁଝି ପାରିଥିବ
କୁହୁକ ବାସ୍ତବବାଦକୁ
ବାଦ ନୁହଁ କୁହୁକ ବାସ୍ତବତାକୁ
ଠିକ ଈଶ୍ଵରଙ୍କ ପରି
ତମେ ମାନି ପାର, ନ ମାନି ବି ପାର
ସତ କହୁଛି ଐନ୍ଦ୍ରଜାଲିକର ଜାଦୁ-ପରୀ ।
ପ୍ରକୃତି ଏ ସଂସାରରେ ସବୁକିଛି ସମ୍ଭବ
ସମ୍ଭବ-ଯୁଗସମ୍ଭବ
କୋଟିଏ ମଣିଷ ଭିତରେ ଏକ ସମୟରେ ସମ୍ଭବ
ସାଧୁ-ସଇତାନ ପୁଣି ମହାପୁରୁଷ
ଯେହ୍ନେ ମଧୁ-ମଦିରା ଜଳେ ବହୁଥାଏ ବିଷ ।
ସମାଜର ଭିନ୍ନ ଏକ ସ୍ଵାଦ-ଏକ ଭିନ୍ନ ଆସ୍ଵାଦ
ବିକାଶର ପେଟରେ ବିନାଶର ବିଶୁଦ୍ଧ ଚିତ୍ର
ସଂରଚନାର ନାଭି ମୂଳରେ
ସୃଷ୍ଟ ଏକ ମୃତ ବ୍ରହ୍ମାଣ୍ଡର ପରିକଳ୍ପନା,
ସବୁକିଛି ସମ୍ଭବ
କୁହୁକତାର ସଂସାରରେ
'ଶେଷ ଇଶ୍ଵର' ପୁଣି 'ଶେଷ ତାନ୍ତ୍ରିକର ସନ୍ଧାନରେ'
ପରୀ କଥା-ଶକ୍ତିମାନ ଆହୁରି ଅନେକ ସିରିୟଲରେ ।
କୁହୁକତା ବି ବାସ୍ତବ ଏ ଜୀବନର କଥା କୁହେ
ଖଦ୍ୟୋତକୁ ପ୍ରତିଶ୍ରୁତି ଦିଏ
ହସ-କାନ୍ଦ ଦୁନିଆର ମିଛୁଆ ସତକୁ
ନୀଳ ଆଲୋକର ଶୀତଳତାରେ ସଭ୍ୟ କରାଏ
ସ୍ଵପ୍ନର ରାଈଜରେ
ଇଛା-ଗୋଦାମର ଶୀତଳ ଆଲୁଅରେ
ବାସ୍ତବ ଜୀବନରେ
ସବୁକିଛି ସମଭାବ-ସମ୍ଭଵର ମହାମନ୍ତ୍ର ନେଇ
ଘନ ଅନ୍ଧାରରେ
ଖଦ୍ୟୋତ ବି ବାଟ କଢାଏ ।
