STORYMIRROR

Kshitish Jena

Children Stories Comedy Inspirational

3  

Kshitish Jena

Children Stories Comedy Inspirational

କଥା କୁହା କପିଳା

କଥା କୁହା କପିଳା

1 min
143

କଥା କୁହା ଆମ କପିଳା ଭାଇକୁ

ଚିହ୍ନି ନାହିଁ କୁହ କିଏ

ଗାଁ ମୁଣ୍ଡେ ନିତି ଚୁଗୁଲି ଗପଇ

ସକାଳରୁ ସଞ୍ଜ ଯାଏଁ ।


ଖଣ୍ଡିଏ ପାନକୁ ମାଗି ଖାଇଥାଏ

ଘଣ୍ଟାଏ ବସି ଚୋବାଏ

କଥା କହେ ସତେ ଏମିତିକା ପାନ

ଖାଉଛି ଦେଖାଇ ହୁଏ ।.


ନିଜ ଘରେ ଖୁଦ ମୁଠାଏ ନ ଥାଉ

ଢମ କଥା ଗପି ଯାଏ

ଦାନ୍ତ ଖୁଣ୍ଟଇ ସେ ସତେକି ମଟନ୍‌

ଖାଇକି ଆସିଛି ସିଏ ।


କାହା ଘରେ ଯଦି ଜିରାଟେ ଫୁଟିଲା

କପିଳା ଭାଇକୁ ବାସେ

ଭଲ ନ ଦିଶଇ ସବୁବେଳେ ପର

ମନ୍ଦ କଥା ସବୁ ଦିଶେ । 


ସରକାରଙ୍କଠୁ ଘରଟେ ପାଇଛି

ଡିଲର୍ ଚାଉଳ ମିଳେ

ବିଲ ତା' ପଡ଼ିଆ କାମ କରେନାହିଁ

ମାଆ ଭତ୍ତା ନେଇ ଚଳେ ।


ସ୍ତ୍ରୀ ବୁଢ଼ୀ ମାଆ ବାଡ଼ିରେ ପରିବା

ଲଗାଇ ଚଳାନ୍ତି ଘର

କୁଟେ ମା' ଧାନ ଗପୁରା କପିଳା

ଦେଖାଇ ହୁଏ ନାଗର ।


ମନ ଭୁଲାଣିଆ କଥା ସେ କୁହଇ

ଭିତରେ କାଟଇ ଚେର

ଭୋଜି ଖାଇ ମୁହଁ ଧୋଇ ଦେଲା ପରେ

ଗପେ ବିରୁଦ୍ଧରେ ତା'ର ।


ଭଲ ଖଣ୍ଡେ ପିନ୍ଧି କପିଳା ଆଗରେ

ଯଦି ଚାଲିଯାଏ କେହି

ଉପରେ ପଡ଼ିକି ପଚାରେ ପଛରେ

ସହିପାରେନାହିଁ ସେହି ।


ନିଜ ଘରେ ପଛେ ଶହେ କେଁ ଥାଉ

ପର ଆଲୋଚନା କରେ

ଅନ୍ୟକୁ ଚାହିଁଲେ ନିଜର ହିଁ କ୍ଷତି

କପିଳା ବୁଝି ନ ପାରେ ।



Rate this content
Log in