କରୋନା ବେଳେ କରୁଣା
କରୋନା ବେଳେ କରୁଣା
ମୋଦି ସାଇଁ ତବ ନୀତି ଘାଇଁ ଘାଇଁ ଦେଶ ହିତେ ଜାରି ହେଲା
କରୋନା ପାଇଁକି ୨୧ ଦିନ ଗୃହବନ୍ଦୀ ଦେଶେ ତାଲା ।
କଡାକଡି ଭାବେ ପାଳନ କରିବ ପ୍ରଶାସନ ଆଶା ରଖୁ
କରୋନାକୁ ଆମେ ନା ନା କହିବା କରୋନାଟି ପାନେ ଚାଖୁ ।
ବିମୁଦ୍ରୀକରଣ ଲୋମହରଷଣ ଦୁଃଖୀ ଦୁଃଖ ମନେପଡେ
ଏଟିଏମ୍ ରୁ ବାହାରେ ଦୁଇ ହଜାରିଆ ଚାହାକପେ ନାହିଁ ମିଳେ ।
ବାହାର ରାଜ୍ୟର ଦିନମଜୁରିଆ ଫସିଛନ୍ତି ଦେଶ ସାରା
ଟ୍ରେନ ବସ୍ ସବୁ ବାତିଲ୍ ହୋଇଲା କର୍ମ ଆଦରେ ବିଚରା !
ରାସ୍ତା କଡ ଯେତେ ବୁଲା ବେପାରୀଙ୍କ ଦୁଃଖ କିଏ ବା ବୁଝିବ
ପରିବାର ତାଙ୍କ କିପରି ବଞ୍ଚିବେ ଭିକାରୀ କିସ କରିବ !
ପଦାକୁ ଗଲେ ସେ ମଜୁରୀ ଆଣନ୍ତି ନିତି ଖଟ ନିତି ଖାଅ
ଏକୋଇଶ ଦିନ କିପରି ବଞ୍ଚିବେ ମୋଦି ସାଇଁ ତୁମେ କୁହ !
ମୁନିସିପାଲଟି ଗାଆଁ ପଞ୍ଚାୟତ ଦାୟିତ୍ୱ କି ନେବେ ତାଙ୍କ
ଘରୁ ବାହାରିଲେ ପୁଲିସ ପିଟିବେ କର୍ମ ହେବ ତାଙ୍କ ବାଙ୍କ ।
ପ୍ରଶାସନ ଥରେ ବସ୍ତିରେ ବୁଲିକି ହିସାବ ତାଙ୍କର ନେଉ
ରାସନ ପାଣିର ବ୍ୟବସ୍ଥା ତାଙ୍କର ଜନ ମଙ୍ଗଳରେ ହେଉ ।
ସାମ୍ବାଦିକ ଯେତେ ରାସ୍ତାରେ ବୁଲିକି ଟିଆରପି ଟାଣନ୍ତି ଭାରି
ତାଙ୍କ ଦୁଃଖ ଯଦି ନ ଦେଖିବେ କେହି ଅକାଳରେ ଯିବେ ମରି !
ସେଲିବ୍ରେଟି ଧନୀ କର୍ପୋରେଟ୍ ସଂସ୍ଥା ଯେତେକ ସମ୍ବାଦ ସଂସ୍ଥା
ଦାନ ଦେଇ ତାଙ୍କ ଜୀବନ ବଞ୍ଚିବା କରନ୍ତୁ ଏବେ ବ୍ୟବସ୍ଥା।
ଥିଲା ବାଲା ଯେତେ ପଡା ପଡୋଶୀର ଅଭାବୀ ମଣିଷ କଥା
କାମବାଲୀ ବାଇ ରୋଷେୟା ମାଳିଙ୍କ ଦୁଃଖକୁ ବୁଝନ୍ତୁ ଯଥା ।
ଆହୁରି କଥାଏ କହୁଛି କିଣିକି ଘରେ ନ ଭର ଗୋଦାମ
କଳା ବଜାରୀଙ୍କୁ ମଉକା ମିଳୁଛି ଗରିବ କାହୁଁ ଆଣିବ !
ମିତ ବ୍ୟୟୀ ହୁଅ ଦେଶର ସମ୍ପଦ ସମସ୍ତେ ବାଣ୍ଟିକି ଚଳ
ବୁଲା ଗୋରୁଗାଇ କି ଦଶା ଭୋଗନ୍ତି ମାଙ୍କଡ ଯେ ତୀଥର୍ସ୍ଥଳ !
କରୋନା କୁ ଖାଲି ମାଡ ମାରିବାନି ମଣିଷ ପଣିଆ ହାରି
ପଡିଶାରେ କିଏ ମରି ପଡିଥିବେ ପଚି ଗନ୍ଧ ହେବ ଭାରି !
