କୋଇଲି ପାରୁଡ଼ା ଆମ୍ବ ଲୋ
କୋଇଲି ପାରୁଡ଼ା ଆମ୍ବ ଲୋ
କୋଇଲି ପାରୁଡ଼ା ଆମ୍ବ ଲୋ...
ଦେହକୁ ଲଗେଇ ଗେଲ ହେଉଥିଲୁ
ଆଢୁଆଳ ଥିଲା ଖମ୍ବ !
ଶୁଖିଲା କଖାରୁ ଡଙ୍କ ଲୋ...
ଆଖିକୁ ମାରିକି ମୁହଁକୁ ମୋଡ଼ିକି
ସେଇତକ ଯାହା ରଙ୍କ !
ଚହଟ ମନ୍ଦାର ନାଲି ଲୋ...
ପାନଖିଆ ଓଠ ବାଦକି ପଡ଼ିବ
ବହଳିଆ ପ୍ରେମ ଖାଲି !
ଛନକା ମନକା ଛାତି ଲୋ...
ଚୋରା ପୀରତିରେ ଶରଧା ଏମନ୍ତ
ଅନ୍ଧାରକୁ ଛାଇ ହାତୀ !
ଜହ୍ନଠି ବଉଦ ଖଣ୍ଡେ ଲୋ...
ତୁଛାକୁ ହାତେର ଓଢ଼ଣା ପଡ଼ିଚି
ଦେଖିନାଇଁ ଜମା ଦଣ୍ଡେ !
ହାଟକୁ ବାଟକୁ ପାଆ ଲୋ...
ଲାଜକୁ ଏମିତି ମହତ କାଢୁଚୁ
ସିଆଣିରେ ପକା ନୂଆ !
ସାଧାରେ ଅଧାକୁ ଲାଖ ଲୋ...
ମନଟା ସାଗରେ ପୋଖରୀ ଅଣ୍ଡାଳି
ଦେଖାଉଛୁ ତୁଛା ସୁଖ !
ନହର କଣ୍ଟାରେ କାନି ଲୋ...
କେତେ ଶାଗ ମୁଗ ଅଣ୍ଟିରେ ପୂରାଇ
ମିଛୁଟାରେ ସାଜୁ ମୁନି !
ଧାନୁଆ ଲଙ୍କାର ପେନ୍ଥା ଲୋ...
ଘରକୁ ଝଅଟ ଆସିବୁ ଯେବେଟି
ସିନ୍ଦୂରିଆ ହେବ ସୁନ୍ଥା !
