କଂକରିତ ପଥ
କଂକରିତ ପଥ
ଜୀବନଟା ସବୁ ଦିନେ ମନେହୁଏ
ଗୋଟାଏ କଂକରିତ ପଥ
ଅଦ୍ଭୁତ ଭାବଭଙ୍ଗୀରେ ପ୍ରଲମ୍ବିତ
ତଥାପି ଲାଗେ ସଙ୍କୁଚିତ,
ଶୀହରିତ ମିଳନର ଉଲ୍ଲାସରେ
କେବେ ମ୍ରିୟମାଣ ବିରହରେ
ନିର୍ବାକ୍ ନିର୍ଜନ ଛଳଛଳ ସ୍ମୃତି
ବାନ୍ଧି ରଖେ ତାକୁ ଆବେଗରେ ,
ମନେ ଏକ ଦୀର୍ଘ ଯାତ୍ରାର ସଙ୍କଳ୍ପ
ଛୁଇଁବାକୁ ସ୍ୱପ୍ନର ଆକାଶ
ହେଲେ ସମୟର ତୀର୍ଯ୍ୟକ୍ ଚାହାଣୀ
ଭାଙ୍ଗି ଦିଏ ସେ ଆତ୍ମବିଶ୍ୱାସ ,
ଦେଖୁନ ମହାମାରୀର ଏ ପ୍ରକୋପ
କେତେ ଯେ ବୀଭତ୍ସ ଭୀତିପ୍ରଦ
ଅସହାୟ କରି ରଖିଛି ସଭିଙ୍କୁ
ସାଥେ ଧରି ଅଜସ୍ର ବିପଦ ,
ସତରେ ଏ କାକୁସ୍ଥ ଜୀବନ ଆଜି
ଗୋଟା ପଣେ ହିଁ ବ୍ୟସ୍ତ ବିବ୍ରତ
କେଜାଣି କେବେ ସେ କଂକରିତ ପଥ
ହେବ ଗୋଲାପରେ ଆଚ୍ଛାଦିତ.... !
