STORYMIRROR

Sachidananda Kar

Others

4  

Sachidananda Kar

Others

କଲମ ମାତିଛି

କଲମ ମାତିଛି

1 min
426

ଝରିଯାଏ କାଳି ଝରଝର

କଲମଟି ହୁଏ ତରତର

ଦେବାପାଇଁ କିଛି ଲେଖି

ବାଟେଘାଟେ ନିତି ଯିବା ଆସିବାରେ

ଥାଏ ଯାହା ସିଏ ଦେଖି ।।


ପଢି ଯାଏ କିଏ ଗାଡ଼ି ଚଢି

କିଏ ମରେ ଘରେ ଭୋକେ ସଢି

ଖଟେ କିଏ ଗଧ ପରି

ପିଲା କିଏ ପୁଣି ଗୋଟାଉ ଥାଆନ୍ତି

ଅଳିଆରୁ ଟିଣ ଜରି ।।


ଗ୍ରୀଷମ ବରଷା ଶୀତ ସହି

ଚାଷୀ ଭାଇ ଥାଏ କାମେ ରହି

ଖାଏ କିଏ ସୁଖେ ବସି

କାନ୍ଦି କାନ୍ଦି କା'ର ସରେ ଦିନ କାଳ

କିଏ ଗଡେ ହସି ହସି ।।


ଚୋରି କରି କିଏ ପାଏ ସଜା

ଲୁଚି ଲୁଚି କିଏ ଦେଖେ ମଜା

ପଡେନାହିଁ ଧରା କିଏ

ଅଲାଜୁକ ପଣେ କହେ କିଏ ମୁହିଁ

ମହତ ମଣିଷଟିଏ ।।


ଆନେ କିଏ ଠକେ ଦିନରାତି

ସହେ ସବୁ କିଏ ମଥାପାତି

ସତ କିଏ କହି କରି

ସବୁରି ଆଗରେ ଖାଏ ବେତ ମାଡ

କିଏ ପୁଣି ଲୁଚେ ଡରି ।।


ସମାଜର ଏହି ରୀତିଗତି

ଦିନକୁଦିନ ତ ହୁଏ ଅତି

ସେପାଇଁ କଲମ ଆଜି

ମାତିଛି ଏମିତି ଜୀବନକୁ ତା'ର

ଲଗାଇ ଦେଇଛି ବାଜି ।।


କଲମ ପରିକା ଅଛି କିଏ

ସେଇ ଏକା ଗଢେ ନୂଆଟିଏ

ତା' ପାଇଁ ବଦଳେ ଦେଶ

ବଦଳିବା ଆସ ବଦଳାଇ ଦେଇ

ନିଜର ନକଲି ବେଶ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍