କଳି ମଞ୍ଜି
କଳି ମଞ୍ଜି
ନାରୀ ନାରାୟଣୀ,ନାରୀ ଜଗଦ୍ଧାତ୍ରୀ,
ନାରୀ ହିଁ ଶକ୍ତିର ମୂଳ ।
ସୃଷ୍ଟିର ଜନନୀ, ଶକ୍ତି ପ୍ରଦାୟିନୀ,
ପୁରୁଷର ପାଇଁ ବଳ ।।
ବଂଶବୃଦ୍ଧି ପାଇଁ, ନାରୀ ଏକା ସାହା,
ସନ୍ତାନକୁ ଜନ୍ମ ଦିଏ ।
ଦଶ ମାସ ଦଶ, ଦିନ ଗର୍ଭେ ବୋହି,
ପ୍ରସବ ବେଦନା ସହେ ।।
କୋମଳ ମତିସେ,ମମତା ମୟୀ ସେ,
ସ୍ନେହ ମୟୀ ଶାନ୍ତି ଦାୟୀ ।
ଅଧର୍ମୁ ଧର୍ମକୁ, ନିଏ ପୁରୁଷକୁ,
ମନରେ ସାହସ ଦେଇ ।।
ମେଳି ହୋଇ ସିଏ, କଳି ମଞ୍ଜି ବୁଣେ,
କର୍ଣ୍ଣରୁ କର୍ଣ୍ଣକୁ କହି ।
ଛୋଟିଆ କଥାକୁ, କରି ପାରେ ବଡ଼,
ଗୁଜବ କଥାରେ ରହି ।।
କୁଆ ଉଡ଼ିଗଲେ, କହିପାରେ ଛୁଆ,
ଫୁସୁରୁ ଫାସର ହୋଇ ।
ନାରୀ ମାତାଭଗ୍ନୀ, ଦୁହିତା ଓ ଜାୟା,
ମେଳିରୁ କଳି ବୁଣାଇ ।।
କର୍ମରେ ରହିଲେ, ଭାରି ଶାନ୍ତ ସିଷ୍ଟ,
କର୍ମହୀନ ହେଲେ ଗଲା ।
କର୍ମହୀନ ହୋଇ, ଗୁଜବ ଉଡାଇ,
ଲଗାଇ ଦିଅନ୍ତି ପାଲା ।।
କୁହା କୁହି ଗୁଣ, ଭାରି ମନ୍ଦ ଦୋଷ,
ପର ଘରର କାହାଣୀ ।
ପୁଅ ଝିଅ କଥା, ପତି ପତ୍ନୀ କଥା,
ଘରରେ ପକାନ୍ତି ଆଣି ।।
ସମାଲୋଚନାରେ, ଭାରି ଧୁରନ୍ଦର,
ପଡୋଶୀ ଘରର କଥା ।
କିଏ ଖାଇଗଲା, କିଏ ନେଇଗଲା,
ଆଣନ୍ତି ଅନ୍ୟର ବ୍ୟଥା ।।
ନାରୀ ସମାଜକୁ, ନିନ୍ଦୁନାହିଁ ମୁଇଁ,
ବଖାଣିଲି ଏହି ଗୁଣ ।
ଘରେ ଖାଇ କିଆଁ, ବାହାର ଗୁଜବ,
ନିଜ ଘରକୁ ଯେ ଆଣ ।।