STORYMIRROR

Prasanta kumar Hota

Others

3  

Prasanta kumar Hota

Others

କଳା ତୁଳସୀ

କଳା ତୁଳସୀ

1 min
13.9K


କଳା ତୁଳସୀ ମୁଁ ଯତନେ କରିଛି

ଦେବି ବୋଲି ଗଳାହାର

କିଣା ତୁଳସୀରେ ବାସିର ବାସନା

ଆଉ ନାହିଁ ମନ ମୋର

ଗୁନ୍ଥିବା ଶିଖୁଛି ନିଜେ ଗୁନ୍ଥି ଦେବି

କରିବି ଗଜରା ହାର

ପଣ୍ଡାକୁ କହିବି ଗଳାରେ ସେ ଦେବ

ଦିଶିବ କେତେ ସୁନ୍ଦର

ଚନ୍ଦନ ଲେପ ମୁଁ ମାଳେ ଦେଇଥିବି

ବାସନା ମହକୁଥିବ

ତୋତେ ଆଉ କିଛି ମାଗିବି ନାହିଁ ରେ

ମୋଠାରୁ ତୁଳସୀ ନେବ

ଦେଉଥିବି ଖାଲି ଆଉ ନେବି ନାହିଁ

କହରେ କାଳିଆ କହ

କେତେ ଅବା ଦେବୁ ଦୁଃଖୀ ଜନ ଯେତେ

ମୋ ଠାରୁ ନିସ୍ତାର ହୁଅ

ପାଇଛି ଦରବ ଦେବାକୁ ରେ ତୋତେ

ନହେଲେ ସମର୍ପି ଦେବି

କହିବୁ ନାହିଁଟି ଦେଇ ନାହିଁ ବୋଲି

ଦେବା ପାଇଁ ଦେଉଥିବି

ଥିଲୁ ସିନା ଗୋପେ ଗେଲବସରରେ

ଗୋପୀଙ୍କ ମେଳରେ ରହି

ମନ୍ଦିର ଭିତରେ ଏବେ ଅଛୁ ତୁହି

କେ ବୁଝିବ ତୋର ପାଇଁ

କେତେ ଶରଧାରେ ଗୋଡରେ ଅଳତା

ନାଉଥିଲେ ଗୋପୀ ବାଳା

ମୟୁର ପୁଛକୁ ଅଣ୍ଟା ସୁତା ଆଉ

କଟିରେ କଟୀ ମେଖଳା

ହସିଦେଲେ ଥରେ ମକରନ୍ଦ ଝରେ

ଯେ ଦେଖେ କୈବଲ୍ୟ ପାଇ

ଝରିବ କି ହସ ହେବାକୁ ତୋ ବଶ

ଏତେ ଭାଗ୍ୟ ମୋର କାହିଁ

ଗୁନ୍ଥିଛି ତୁଳସୀ ଶରଧା ବୋହି ମୁଁ

ନେବି ନାହିଁ ତାର ମୂଲ

ଦେଖିବି ନେତ୍ରରେ ପିନ୍ଧିଛୁ ଲମ୍ବାଇ

ମୋର ଏ ତୁଳସୀ ଫୁଲ

ପ୍ରଶାନ୍ତ କୁମାର ହୋତା


ಈ ವಿಷಯವನ್ನು ರೇಟ್ ಮಾಡಿ
ಲಾಗ್ ಇನ್ ಮಾಡಿ