କଳା ଧଳା ସ୍ୱପ୍ନ
କଳା ଧଳା ସ୍ୱପ୍ନ
ସ୍ୱପ୍ନ ସବୁ ମୋର
କେତେ ଯେ ସୁନ୍ଦର ମଧୂର ଥିଲା,
ଖୁବ୍ ସାଧା ସିଧା, ସତେ ଅବା
କଳାଧଳା ପୁରୁଣା ସିନେମାର ପଟ୍ଟକଥା
ଆଉ ଦୃଶ୍ୟ ପରେ ଦୃଶ୍ୟ ଦିଶୁଥିଲା ।
ମାଟି ଝାଟି ଛୋଟ ଘରଟିଏ,
ଅଗଣାରେ ତୁଳସୀ ଚଉରା,
ସକାଳ ସଂଜରେ,
ଲିଭା ସଳିତାର ମହମହ ବାସ୍ନା ଆଉ
ଠାକୁର ଘରେ ଘଣ୍ଟିର ମଧୂର ଝଙ୍କାର,
ଓଢଣୀରେ ମଥାଢାଙ୍କି
ସୁଖ ମନାସୁ ଥିବ
ନିରିମାଖି ନବବଧୂ ମୋର ।
ତାର ଗୋରା ଗୋରା ପାଦରେ
ଛମ୍ ଛମ୍ ରୂପାର ପାଉଞ୍ଜି,
ଘର ଅଗଣାରେ ମୋର
ଝନକ ଗୁଞ୍ଜୁରୁ ଥିବ,
ପବନକୁ ସଂଗୀତମୟ କରୁଥିବ ।
ତାର ପାଣିକାଚ ରୁଣୁଝୁଣୁ ଶବଦେ
ପ୍ରିୟା ମୋର ରୋଷେଇରୁ
‘ମୁଁ ପରା ଏଇଠାରେ ଅଛି’
ସତେ ଅବା କହୁଥିବ ।
ଚୁଲିର ଭିଜାକାଠ ଧୂଆଁ
ଜଳାବାଟେ ଉଡୁଥିବ,
ଫୁଙ୍କନଳାର ସଂ ସଂ ଶବଦ
ଅଗଣାକୁ ଶୁଭୁଥିବ ।
ମାଟି ହାଣ୍ଡିରେ ଟକ୍ ଟକ୍ ଫୁଟୁଥିବ
ଉଷୁନା ଭାତର ମହକ,
ଲମ୍ବା କଟା ବାଇଗଣ ଆଉ,
ଭଜା ହରଡ ଅବା ମୁଗ ଡାଲି ବାସ୍ନା,
ସବୁଜାତି ପରିବା ସନ୍ତୁଳାରେ
ପଞ୍ଚଫୁଟଣ ରସୁଣର ଛୁଙ୍କ,
ଗୋଲ ଗୋଲ କଟା ଆଳୁ
ଆଉ ସଜନା ଛୁଇଁର ଭଜା,
ପେଟରେ ମୋ ଭୋକ ବଢାଉଥିବ ।
ପ୍ରିୟା ମୋର ଖାଇବା ବେଳାରେ,
ପାଖେ ବସି ଚୁପି ଚୁପି କଥାକହି
ବିଞ୍ଚୁଥିବ ଭାତ ଥାଳି
ଧୀର ଧୀର ବିଞ୍ଚଣାର ପବନରେ ।
ଫେରିବ କି ବିତିଗଲା ଦିନ,
ସମୟର ସାଥେ ହଜିଗଲା ଦିନ,
ସଭ୍ୟତାର ସାଥେ
ତାଳଦେଇ ବଦଳି ଯାଇଛି,
ଶୁଣିଛି ସେ ଗଲାଦିନ କଥା ଆଉ,
କେତେଥର ସପନେ ଦେଖୁଛି ।
ବିଶ୍ୱାସ ହୁଏନା ମନେ,
ଫେରିବ ସେ ବିତିଗଲା ଦିନ,
କେହି କେବେ ଫେରାଇ ଆଣିବ ଅବା
ରଙ୍ଗିନ କରିଦେବ, ମୋର କଳାଧଳା ସ୍ୱପ୍ନ ।