କିପରି ବର୍ଣ୍ଣିବି ଜଗନ୍ନାଥ ରଥ
କିପରି ବର୍ଣ୍ଣିବି ଜଗନ୍ନାଥ ରଥ
ବର୍ଣ୍ଣିବାର ଶକ୍ତି ନାହି ହିଁ କାହାରେ
ସେହୁତ ପ୍ରଭୁଙ୍କ ରଥ,
କେହୁ କୁହେ ତାକୁ ନନ୍ଦିଘୋଷ ରଥ
ମନ ମୋହୁଥାଏ ରଥ।୧।
ଗରୁଡ଼ଧ୍ୱଜର ନାମରେ ବିଖ୍ୟାତ
କପିଳଧ୍ୱଜ ସେ ରଥ,
ବିଭିନ୍ନ ନାମରେ ଭକ୍ତ କହୁଥାନ୍ତି
ସବୁଠୁ ବିଶାଳ ରଥ।୨।
ରଥଯାତ୍ରା ବେଳେ ବସନ୍ତି ସେ ରଥେ
ପଟାନ୍ତର ନାହିଁ ତାର,
ମୋଟ ସାତ ଶହ ବୟାଳିଶି କାଠ
ରଥରେ ଲାଗିଛି ତାର।୩।
ପଞ୍ଚଚାଳିଶ ଫୁଟ ଛଅ ଇଞ୍ଚ ଉଚ୍ଚ
ମନମୁଗ୍ଧ କରୁଅଛି,
ନନ୍ଦିଘୋଷ ରଥେ ଲାଗିଅଛି ସେହୁ
ସାରା ବିଶ୍ୱ ମୋହୁଅଛି।୪।
ନନ୍ଦିଘୋଷ ରଥେ ଷୋହଳଟି ଚକ
ଛଅ ଫୁଟ ଉଚ୍ଚ ତାର,
ଅପୂର୍ବ ସୁନ୍ଦର ଦିଶୁ ଥାଏ ସେହୁ
ପ୍ରଫୁଲ୍ଲିତଟି ସଂସାର।୫।
ସାରଥି ଯାହାର ମାତଳୀ ଅଟନ୍ତି
ଦଉଡି ଶଙ୍ଖଚୂଡ଼ର
ଧଳାରଙ୍ଗର ହିଁ ଚାରି ଘୋଡ଼ା ପୁଣି
ଦିଶୁଛି ଅତି ସୁନ୍ଦର।୬।
ଗରୁଡ଼ ଚିହ୍ନର ପତକା ଲାଗିଛି
ପଞ୍ଚମୁଖୀ ହନୁମାନ,
ରଥଯାତ୍ରା ବେଳେ ଜଗତ ଠାକୁର
ରଖିବେ ତାର ସମ୍ମାନ।୭।
ମାଉସୀ ଘରକୁ ଯିବେ ଜଗନ୍ନାଥ
ଗରୁଡ଼ଧ୍ୱଜରେ ବସି,
ଭକ୍ତଙ୍କର ଭକ୍ତି ଗୁଞ୍ଜୁଥିବ ପୁଣି
ଟାଣୁଥିବେ ରଥ କଷି।୮।
ତାଳଧ୍ଵଜେ ରଥେ ବଳରାମ ଥିବେ
ଭକ୍ତ ମନ ମହୁ ଥିବ,
ଦେବଦଳନ ରଥେ ସୁଭଦ୍ରା ବସିବେ
ବଡ଼ଦାଣ୍ଡ ଚହଟିବ।୯।
ବର୍ଣ୍ଣିବାର ଶକ୍ତି ନାହିଁ ହିଁ କାହାରେ
ସେହୁତ ପ୍ରଭୁଙ୍କ ରଥ,
କେହୁ କୁହେ ତାକୁ ନନ୍ଦିଘୋଷ ରଥ
ମନ ମୋହୁଥାଏ ରଥ।।୧୦।
