STORYMIRROR

Ajaya Mahala

Others

2  

Ajaya Mahala

Others

କିଛି ନାଇଁ

କିଛି ନାଇଁ

2 mins
518



ତୁମେ ହସୁଥିଲେ ସବୁ ଭଲ

ବିଦ୍ରୋହ କରିଦେଲେ

ଖୁସିର ଗ୍ରହ ସବୁ

ହଠାତ କକ୍ଷଚ୍ୟୁତ ହୋଇଯାଆନ୍ତି

ପଛ ପଟେ ଗୁଣୁ ଗୁଣୁ ହୋଇ

ଯେତେ ଯାହା ସବୁ କହି ଯାଅ

ନ ଶୁଣିବାର ଚେଷ୍ଟା କରେ ସେ ସବୁକୁ

କାମରେ ନିମଜ୍ଜିତ ହେବାର

ବାହାନା କରି ।

ମୋ ସେମିତି କରିବାରେ

ବିଦ୍ରୋହର ସ୍ୱର

ଅଧିକ ମୁଖର ହୋଇ ଉଠେ

ଯେମିତି ମୋ ପଛପଟେ

ତୁମର ସେହି ଗୁଣୁ ଗୁଣୁ ଆଵାଜ

ମୋ ଆଡକୁ ପାଖେଇ ଆସୁଥିବା

ଆକ୍ରମଣକାରୀ

ମହୁମାଛି ଦଳ ଟିଏ



ଯେବେ କେବେ ଅବମାନନାର ସ୍ୱର

ସ୍ପଷ୍ଟତର ହୋଇ ଆସେ

ବୁଲି ପଡି ପଚାରିଦିଏ -

କୁହ କୁହ

ଗୋଟି ଗୋଟି

ଏଇ ଟିକକ ଆଗରୁ

କଣ ସବୁ କହୁଥିଲ ବୋଲି ।


ଆଉ ତୁମେ

ମୋ ଉତ୍କଣ୍ଠାପୂର୍ଣ୍ଣ ପ୍ରଶ୍ନର

ଉତ୍ତପ୍ତ ତାୱା ଉପରକୁ

ଥଣ୍ଡା ପାଣି ଛିଞ୍ଚା ମାରି କୁହ

"କିଛି ନାଇଁ"

ଆମ ସମ୍ପର୍କରେ

କିଛି ବାମ୍ଫ ସେଇଠି ଜନ୍ମ ନେଇ

ଉଡିଯାଏ


ତେବେ ସତରେ କଣ

ଏଇ "କିଛି ନାଇଁ" ପଛରେ କିଛି ନ ଥିଲା?

ଏ ଗୁଣୁ ଗୁଣୁ ମିଛ ଥିଲା ?

ମିଛ ଥିଲା ତମ ମୁହଁ ଫୁଲା?

ମିଛ ଥିଲା ଆଖି ନ ମିଳାଇ

ଚଞ୍ଚଳ କାମ କରି ଯାଉଥିବା

ତୁମ ଦୁଇ ହାତ



ଏଇ ତ ମୋ ଅହଂକାର

ବଳ ଅଛି ବୋଲି

ଯାହା ଇଚ୍ଛା ସବୁ କରିଯାଏ


ଏଇ ତ ମୋ ଜିଦ

ଯେତେ ଥର ମନା କଲେ ବି

ସେହି ଭୁଲ ବାରମ୍ବାର

କରୁଥାଏ ।


ଏଇ ତ ମୋ ଅପାରଗତା

ତୁମକୁ ସହଜରେ

ହୃଦୟଙ୍ଗମ କରାଇଦିଏ

ମନର ଗୋପନ କଥା ମତେ କହି

କିଛି ଲାଭ ହେବନି ବୋଲି


ସତ କୁହ

ନିମ୍ନ ସ୍ୱରରେ ଉଚ୍ଚାରିତ

ତୁମର ସେହି "କିଛି ନାଇଁ"

ବାକ୍ୟ କୌଶଳର ଯନ୍ତାଟିଏ ନୁହେଁ ତ ?

ପ୍ରଲୋଭନ ସୃଷ୍ଟି କରୁଥିବା

ଗୋଟିଏ ମାଂସ ଟୁକୁଡ଼ା

ମୋ ମନର ମହାବଳ ବାଘକୁ

ଅକ୍ତିଆରରେ ଆଣିବା ପାଇଁ ?


ତୁମର ଏହି "କିଛି ନାଇଁ"

ଯେମିତି

ବହୁ ଦିଗକୁ ଏକ ସମୟରେ

ଛାଡି ହୋଇ ପାରୁଥିବା

ଆତିଶବାଜୀ ସବୁ

ଯାହା ଯୋଜନାବଦ୍ଧ ରୂପେ

ସଜାଇ ରଖି ଥାଅ ତୁମେ -

ମୋତେ ଲକ୍ଷ୍ୟ କରି

ତୁମେ କେମିତି ବୁଝିବ

ନ ଚମକିବାକୁ ପ୍ରସ୍ତୁତ ଥାଇ ବି

ମୁଁ ଚମକି ପଡେ

ପ୍ରତିଟି ବିସ୍ଫୋଟରେ



ଆଜି କାହିଁ ପାଉନି ଖୋଜି

ତୁମର ସେ ଶାଣିତ

କ୍ଷୋଭୋକ୍ତି,

ବ୍ୟଙ୍ଗୋକ୍ତି

ବକ୍ରୋକ୍ତି

କ୍ରୋଧୋକ୍ତି

କିଛି ବି, କିଛି ବି ...

ମୋର ପଥ ଅବରୁଦ୍ଧ କରିବାକୁ


ସତ କହୁଛି -

ଆଜିର ଏ ନିଶୂନ ସକାଳରେ

କୋଳାହଳ ଟିକେ ଭରି ଦେବାକୁ

କିଛି ନାଇଁ


~💝~


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍