କି ସୁନ୍ଦର ସତେ ପ୍ରଭୁଙ୍କ ମହିମା
କି ସୁନ୍ଦର ସତେ ପ୍ରଭୁଙ୍କ ମହିମା
କି ସୁନ୍ଦର ସତେ କି ଉଜ୍ଜ୍ବଳମୟ
ଏହି ବିଶାଳ ସଂସାର
ଧନ୍ୟ ମହାପ୍ରଭୁ ସର୍ଜନା ତୁମର
ଅଟେ ଅନନ୍ତ ଅପାର ||
ସିନ୍ଧୁଠାରୁ ବିନ୍ଦୁ ବୃହତରୁ କ୍ଷୁଦ୍ର
ଯେତେ ପ୍ରାଣୀ ଆତଯାତ
ଜ୍ଞାନ ପ୍ରଦାୟକ କରିଛ ଚକିତ
ଗଢିଣ ସାରା ଜଗତ ||
ଫୁଟେ ଯେତେସବୁ ଟିକଟିକି ଫୁଲ
ଦିଶେ କେଡେ ମନୋହର
ଟିକି ଚଢେଇଟି ଟିକି ଡେଣା ଝାଡି
ଲଙ୍ଘଇ ସାରା ଅମ୍ବର ||
ତୁମେ ତ ଭରିଛ ଫୁଲେ ଫୁଲେ ରଙ୍ଗ
ପକ୍ଷୀ ଦେହେ ଟିକି ଡେଣା
ତୁମରି ଆଶିଷେ ପକ୍ଷୀଟି ଶୁଣାଏ
ମଧୁ ସଙ୍ଗୀତ ମୂର୍ଚ୍ଛନା ||
ତୁମେ ଗଢିିଅଛ ଗିରି ପରବତ
ନୀଳ ଲୋହିତ ରଙ୍ଗର
କେତେ ନଦ ନଦୀ ପ୍ରବାହିତ ତହୁଁ
ଧରି ସୁଶୀତଳ ନୀର ||
ତୁମ ଆଦେଶରେ ସୂର୍ଯ୍ୟ ହୁଏ ଅସ୍ତ
ହୁଅଇ ପୁଣି ପ୍ରଭାତ
ତୁମରି ଆଦେଶେ ସୂରୁଯ କରଇ
ଆକାଶକୁ ଉଦ୍ଭାସିତ ||
ତୁମରି ଆଦେଶେ ଶୀତଋତୁ ଆସେ
ଶୀତଳ ସମୀର ଧରି
ଶୀତ ସକାଳର ସୁଶୀତଳ ଖରା
ହୃଦେ ଦିଏ ସୁଖ ଭରି ||
ତୁମ ଆଦେଶରେ ଆସଇ ବସନ୍ତ
ଧରି ମଳୟ ପବନ
ତରୁ ଲତା ଡାଳ ନବ ପଲ୍ଲବରେ
ଲଭେ ନବ ଯଉବନ||
ଆମ୍ର ବୃକ୍ଷମାନ ହୁଏ ମୁକୁଳିତ
ଖେଳାଇ ବଉଳ ବାସ
ତାହାର ଶାଖାରେ କୋଇଲି ସଙ୍ଗୀତେ
ସବୁରି ମୁଖରେ ହସ||
ତୁମ ଆଦେଶରେ ଆଣଇ ଗ୍ରୀଷମ
ଆମ୍ବ ପଣସ ସମ୍ଭାର
ଜଳୀୟ ବାଷ୍ପରେ ଗଢଇ ବଉଦ
ଭରଇ ସାରା ଅମ୍ବର||
ତୁମରି ଆଦେଶେ ବରଷା ଆସଇ
ଝରାଇ ତହିଁରୁ ନୀର
ସବୁଜିମା ଭରି ଧରଣୀ ହସଇ
ଚାଷୀ ଆନନ୍ଦେ ଅଧିର||
ତୁମରି ଆଜ୍ଞାରେ ବାଡି ବଗିଚାରେ
ପାଚେ କେତେ ମିଠା ଫଳ
ଏ ପ୍ରତ୍ୟେକ କଥା ତୁମରି ସର୍ଜନା
ତୁମରି କରୁଣା ଫଳ||
ତୁମରି ଆଦେଶେ ଆସଇ ଶରତ
ନିର୍ମଳ ଆକାଶ ନେଇ
ମାଆ ଦଶଭୂଜା ଆସନ୍ତି ଧରାକୁ
ଅଶେଷ କରୁଣା ନେଇ||
ତୁମରି ଆଦେଶେ ଆସଇ ହେମନ୍ତ
ଶତ ଶତ ଦୀପ ଜାଳି
ପାଚିଲା ଧାନରେ ହସିଉଠେ କ୍ଷେତ
ଆନନ୍ଦ ହୁଏନି କଳି||
କି ସୁନ୍ଦର ସତେ କି ଆନନ୍ଦମୟ
ପ୍ରଭୁ ତୁମରି ସର୍ଜନା
ତୁମରି କରୁଣା ଅଟଇ ଅପାର
କରୁଛି ତୁମ ବନ୍ଦନା ||
