କି ଜୀବନ ସିଏ
କି ଜୀବନ ସିଏ
କି ଜୀବନ ସିଏ ଯେଉଁଠାରେ ନାହିଁ
ଆନନ୍ଦ ବିଷାଦ ଦାଗ
ମେଘ ମହ୍ଲାରର ଶୀତଳ ପରଶ
ଉତ୍ତପ୍ତ ଦୀପକ ରାଗ l
ଜଳିନି ଯେଉଁଠି ବିରହ ନିଆଁରେ
ପ୍ରୀତି ପ୍ରଣୟର ଜୁଇ
ଶିହରିନି ତନୁ ମନ କେବେ ପୁଣି
ପ୍ରିୟାର ଚୁମ୍ବନ ପାଇ l
ଭଲପାଇବାର ସାଗର ବୁକୁରେ
ମିଶିନାହିଁ ପ୍ରେମ ନଈ
ପ୍ରିୟତମାର ସେ ଉଷ୍ଣ ନିଶ୍ବାସ
ପ୍ରିୟ ଦେହ ଛୁଇଁ ନାହିଁ l
ମନର ବଂଶୀଟା ଗାଇନାହିଁ କେବେ
ମିଳନର ମଧୁଗୀତି
ଭରା ଯଉବନେ ନିଃସଙ୍ଗ ଜୀବନ
ମନେ ଭରିନାହିଁ ତାତି l
ଯେଉଁ ଜୀବନରେ ମିଳିତ ହୋଇନି
ଜରାୟୁରେ ଗୁଣ ସୂତ୍ର
ଦୁର୍ଯ୍ୟୋଧନ ପରି ନାହିଁ ଯହିଁ ଶତ୍ରୁ
ସୁଦାମାର ପରି ମିତ୍ର l
ସିଏ କି ଜୀବନ ଯହିଁ ମିଳିଲାନି
ସମର୍ଥ ଗୁରୁଠୁଁ ପାଠ
ଚୌରାଶିଲକ୍ଷ ଯୋନିଚକ୍ରୁ ମୁକ୍ତି
ଜୀବ ପରମର ଭେଟ l