STORYMIRROR

Narayan chandra Senapati

Others

4  

Narayan chandra Senapati

Others

କି ଚମତ୍କାର ଏ ଖେଳ

କି ଚମତ୍କାର ଏ ଖେଳ

1 min
114


ହେ ରାଜନ

ଜିଗୀଶାର ଅଭିପ୍ସା ନେଇ 

ଚଉଷଠି ଅଗଣାରେ ରଚିଦେଲ 

ତୁମ ଜୀବନର 

ମାନସିକ ବୁଦ୍ଧିର ଉତ୍କୃଷ୍ଟ ଖେଳ ଚେସ ଖେଳ।


ଦ୍ୱିପାକ୍ଷିକ ଯୁଦ୍ଧରେ ତୁମ ସମରସଜ୍ଜା

ସୈନ୍ୟକୁ ଖଡ୍ଗ ଧରି ଜଗାଇଲ ସୀମା

ଡ଼ଙ୍ଗାରେ ଜଳପଥ ଅତିକ୍ରମ

କ୍ଷୀପ୍ରଗାମୀ ଘୋଡାର ଚତୁରତା ଦୌଡ଼

ଆଉ ବିଶାଳକାୟ ହାତୀର ଦମ୍ଭ

ବୁଦ୍ଧିମାନ ମନ୍ତ୍ରୀର ଚକ୍ରବ୍ୟୁହ

ଆଉ ନିଜେ ସାଜିଲ ଚଣ୍ଡାଶୋକ

ବାଃ ! କି ଚମତ୍କାର ଏ ଖେଳ !


ଏ ଯୁଦ୍ଧ ନୁହଁ ଧର୍ମଯୁଦ୍ଧ

କଳେ ବଳେ କୌଶଳେ ଶତ୍ରୁହତର ପ୍ରତିଜ୍ଞା

କେବେ ସୈନ୍ୟକୁ ପଦାଘାତ

କେବେ ଡ଼ଙ୍ଗାକୁ ଦିଅ ସମାଧି

ଚତୁରତାରେ, ଚତୁର ଘୋଡାର କଲ କଳା ହରଣ

ବିଚରା ହାତୀଟାକୁ କଲ ଶରବିଦ୍ଧ 

ତା ଦ୍ୱାରା ତା ନିରୀହ ସାଥୀଙ୍କୁ କଲ ନିହତ

ଆଉ ଯେଉଁ ମନ୍ତ୍ରୀ ଥିଲା ପରାମର୍ଶଦାତା

ତାକୁ ବି ଅହଂକାରରେ ଦେଲ ସଲିଳ ସମାଧି

ବାଃ ! କି ସ୍ୱାର୍ଥପରତାର ନିଦର୍ଶନ !!!


ତୁମର ଟିକିଏ ସ୍ୱାର୍ଥପାଇଁ... ବିଜୟ ଲାଭ ପାଇଁ

ଏଇ ଦେଖ ...ସେ ଚଉଷଠି ଅଗଣା ଆଜି ସ୍ତବ୍ଧ ଚକିତ

ଆଜି ଶୁଭୁନି ସେ ଘୋଡା ହାତୀର କଳରବ

ଅଗଣା ଖୋଜୁଛି ସେ ସୈନ୍ୟଙ୍କର ବୀରପଣିଆ

ହଜି ଯାଇଛି ସେଇ ଡ଼ଙ୍ଗାର ଦୋଳିଖେଳର ମଜା

ହଜିଯାଇଛି ମନ୍ତ୍ରୀର ବୁଦ୍ଧିମତାର ସ୍ୱର

କେବଳ ଶୁଭୁଛି ତୁମ ଉନ୍ମାଦ ଉତ୍ଫୁଲ୍ଲିତ ଆସ୍ଫାଳନ

ପିନ୍ଧି ବିଜୟ ମୁକୁଟ ଗର୍ବରେ ସିନା ଫୁଲି ଉଠୁଛ

ହେଲେ ଅଛି କି ଶାନ୍ତି ?

ଅଛି କି ପ୍ରେମ,ପ୍ରୀତି,ମାୟା,ମମତାର ଅନ୍ତଃସ୍ୱର ?

ବାଃ ! ମୃତ ମାନଙ୍କର ସମ୍ରାଟ ହେବାରେ କି ପୁରୁଷପଣିଆ !



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍