STORYMIRROR

SARATA KUMAR DAS

Others Tragedy

3  

SARATA KUMAR DAS

Others Tragedy

ଖୋଜୁଛି ତୁମକୁ ସାଥୀ

ଖୋଜୁଛି ତୁମକୁ ସାଥୀ

1 min
365



ହୃଦୟକୁ ମୋର ଭାଙ୍ଗିଦେଇଗଲ

ଜଳୁଛି ମୁଁ ଜଉଘରେ

ମନ କୁଂଜବନ ଝାଉଁଳି ଗଲାଣି

ଡହ ଡହ ବୈଶାଖରେ ।।


ଆଖିର ଚାହାଣୀ କହୁଥିଲା ତୁମ

ମନର ଅବ୍ୟକ୍ତ ଭାଷା

ସବୁଜ ମନରେ ଦୋଳିଖେଳୁଥିଲା

ପ୍ରେମର ମହୁଲି ନିଶା ।।


ପ୍ରୀତିର ମଦିରା ଢାଳିଦେଉଥିଲ

ଛୁଇଁ ଯାଉଥିଲା ଓଠ

କାମନା ଅଗ୍ନି ରେ ଜଳିଯାଉଥିଲି

ଆଙ୍କୁଥିଲି ଚିତ୍ରପଟ ।।


ଜୀବନ କାହାଣୀ ଜୀବନ୍ତ ନୋହିଲା

ବିଦୀର୍ଣ୍ଣ ହୋଇଲା ଚିତ୍ର

ପଲ୍ଲବିତ ପତ୍ର ଝଡିଗଲା ଧୀରେ

ଖୋଜୁଛି ତୁମର ଗୀତ ।।


ଆଖି ଲୁହ ମୋର ଓଠ ପିଇଯାଏ

ମାଟିକୁ ପାରେନି ଛୁଇଁ

ବର୍ଷାରୁ ବସନ୍ତ ଶୀତରୁ ବୈଶାଖ

ଖୋଜେ ନିତି ନୀଳକଇଁ ।।


ଫଗୁଣ ଆସିଲେ ମନେପଡେ ତୁମ

ଗୋଲାପୀ ଗୋଲାପୀ ହସ

କୃଷ୍ଣଚୂଡା ରଂଗ ନାଲି ଓଢଣୀରେ

ଝରେ ପ୍ରୀତି ମଧୁ ମାସ ।।


ଶୀତୁଆ ରାତିର ଧୂସର ଆଲୋକେ

ତୁମ ମୁହଁ ଝାପ୍ସା ଦିଶେ

ବରଷାର ତାଳେ ନୁପୂର ର ସ୍ବରେ

ଜହ୍ନ କିରି କିରି ହସେ ।।


ମୋ' ଜୀବନ ଏକ ଶୂନ୍ୟ ପାନ୍ଥଶାଳା

ଖୋଜେ ତୁମ ପାଦ ଚିହ୍ନ

ପ୍ରତିଧ୍ବନି ଶୁଭେ ଦୂର ଚକ୍ରବାଳେ

ଦାଣ୍ଡ ଅଗଣା ମୋ ଶୂନ୍ୟ ।।


ଅଜଣା ପଥର ପଥିକ ମୁଁ ଏକା

ଶୂନ୍ୟତା ଯେ ଚିର ସାକ୍ଷୀ

ଭଗ୍ନ ମନ୍ଦିର ମୋ' ଶୂନ୍ୟ ମୁଖଶାଳା

ଚାହିଁଛି ତୁମକୁ ସଖୀ ।।


ନୀଳ ପ୍ରେମ ତୁମ ନୀଳ ଲଫାପାରେ

ଫୁଲ ହୋଇ ଫୁଟି ଯାଏ

ବିଜନ ବେଳାରେ ରିକ୍ତ ପାପୁଲିରେ

ସ୍ମୃତି ମୁଁ ସାଉଁଟୁ ଥାଏ ।।


ଲେଉଟାଣି ବେଳ ଅସ୍ତଗାମୀ ସୂର୍ଯ୍ୟ

ସଂଜ ଆସେ ନଇଁ ନଇଁ

ତଥାପି ଖୋଜୁଛି ସାଥୀ ମୁଁ ତୁମକୁ

ସାତ ଦରିଆକୁ ଡେଇଁ ।।


ଶରତ କୁମାର ଦାସ


Rate this content
Log in