STORYMIRROR

SARATA KUMAR DAS

Others

3  

SARATA KUMAR DAS

Others

ଖୋଜେ ମୁଁ ତୁମକୁ

ଖୋଜେ ମୁଁ ତୁମକୁ

1 min
28.7K


ପୁନେଇଁର ଜହ୍ନ ହସୁଛି ମୁରୁକି

ରୂପେଲୀ ଜୋଛନା କୋଳେ

ଉଦାସ ହୃଦୟ ଉଦବେଳିତ ମନ

ଜଳୁଅଛି ପ୍ରେମାନଳେ ।।


ଆକାଶର ରଂଗ ସାଗର ତରଂଗ

ବାନ୍ଧିପାରୁ ନାହିଁ ମୋତେ

ନିତି ବିଜନରେ ଛାଇ ଆଲୁଅରେ

ଭାବେ ତୁମ କଥା କେତେ ।।


ନାହିଁ ସେ ସାଗର ନାହିଁ ସେ ସୈକତ

ନାହିଁ ଉର୍ମିର ଝଂକାର

ତଥାପି କାହିଁକି ଖୋଜେ ମୁଁ ଶାମୁକା

ଖୋଜେ ମୁକ୍ତାର ସମ୍ଭାର ।।


ନାହିଁ ବେଳାଭୂଇଁ ନାହିଁ ନୀଳ କଇଁ

ନାହିଁ ସେ ଚାନ୍ଦିନୀ ରାତି

ବସନ୍ତର ବାସ୍ନା ସୁଗନ୍ଧିତ ହେନା

ମନ ତଳେ ଯାହା ସ୍ମୃତି ।।


ଜାଇ-ଯୂଇ-ହେନା ଅଗରୁ ଚଂଦନ

ବାସୁ ନାହିଁ ମହ ମହ

ନିଶା ପାହାନ୍ତିର ଦେବ ମୁହୂର୍ତ୍ତରେ

ଦିଶୁନାହିଁ ତୁମ ମୁହଁ ।।


ଆମ୍ବ ବଉଳରେ ଚହଟୁନି ବାସ

କୋଇଲି ଗାଉନି ଗୀତ

ପଳାଶ ବଣରେ ମନ ପୂରେ ନାହିଁ

ଖୋଜେ ମୁଁ ତୁମକୁ ମିତ ।।


ତୁମ ପ୍ରୀତିଛ୍ବାସ ସ୍ବପ୍ନସିକ୍ତ କରେ

ମଳୟୁ ଝରେ ଚନ୍ଦନ

ସବୁ ଋତୁ ଲାଗେ ପ୍ରୀତି ମଧୁମାସ

ଖୋଜେ ମୁଁ ନିତି ସପନ ।।


ନାହିଁ ସେ ଯମୁନା ନାହାଁନ୍ତି ଶ୍ରୀରାଧା

ନାହିଁ ସେ କଦମ୍ବ ବନ

ତଥାପି କାହିଁକି ଅଶ୍ରୁସିକ୍ତ ନେତ୍ର

ଖୋଜେ ମୁରଲୀର ସ୍ବନ ।।


ଏ କୂଳେ ସୂରୁଯ ସେ କୂଳେ ଚନ୍ଦ୍ରମା

ମଝିରେ ଉଛୁଳା ନଈ

ପ୍ରେମ ଝୁଲଣାରେ ଝୁଲୁଛି ମୋ ପ୍ରିୟା

ହାତ ମୋର ପାଉ ନାହିଁ ।।


ନାହିଁ ସେ ସାଗର ନାହିଁ ସେ ତଟିନୀ

ନାହିଁ ସେ ନୀଳ ନଳିନୀ

ଲାଜେଇ ପ୍ରିୟା ମୋ ସରମେ ଗାଉଛି

ପ୍ରୀତି-ପ୍ରଣୟ ରାଗିଣୀ ।।


ଚିତ୍ରିତ ପୃଥିବୀ ଅନ୍ଧାରୀ ମୁଲକେ

କସ୍ତୁରୀ ଖୋଜେ ମୁଁ ନିତି

ସାତ ତାଳ ପଙ୍କେ ସୁନା ଫରୁଆରେ

ସାଇତିଛି ତମ ସ୍ମୃତି ।।




ଶରତ କୁମାର ଦାସ

ଅଧ୍ୟାପକ,ବଡବିଲ ମହାବିଦ୍ୟାଳୟ,ବଡବିଲ

କେନ୍ଦୁଝର।

ଦୁରଭାଷ- 9438243149


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍