STORYMIRROR

SARATA KUMAR DAS

Others

2  

SARATA KUMAR DAS

Others

କେବେ ତମେ

କେବେ ତମେ

1 min
961



ହସିଦେଲେ ତମେ ଫଗୁଣ ହସଇ

ଲୁହରେ ତମର ଶ୍ରାବଣ ଝରଇ

ରାଗିଲେ ଆଗ୍ନେୟଗିରି

ଚାହାଣିରେ ତମ ଜ୍ୟୋସ୍ନା ଝରୁଥାଏ

ଚାଲିରେ ତମର ପଦ୍ମ ଫୁଟୁଥାଏ

ଛବି ତମ ସ୍ବପ୍ନପୁରୀ ।।


କେବେ ତମେ ଫଲ୍ଗୁଧାର କଳକଳ

କେବେ ତମେ ଲାଗ ବସନ୍ତ ହିଲ୍ଲୋଳ

କେବେ ମୃଦୁ ଶିହରଣ

କେବେ ବଇଶାଖୀ ଡହ ଡହ ତାତି

କେବେ ଲାଗ ତମେ ତାରା ଭରା ରାତି

କେବେ ସ୍ନିଗ୍ଧ ସମୀରଣ ।।


କେବେ ଦୀପଶିଖା ତମେ ତମିସ୍ରାର

କେବେ ତ ଚାନ୍ଦିନୀ ପୁନେଇଁ ରାତିର

କେବେ ତ ଅଳସୀ ସଂଧ୍ୟା

ଆଖିରେ ତମର ପ୍ରୀତିର ଈଶାରା

ଓଠରେ ତମର ପ୍ରଣୟ ମଦିରା

କେବେ ତ ରଜନୀଗଂଧା ।।


ହାତରେ ତମର କୈବଲ୍ୟ ପସରା

ମନଟା ତମର ମନ୍ଦାକିନୀ ଧାରା

ଭାଷାରେ ଭରିଛି ମହୁ

ସୁର ,ତାଳ, ଲୟ ସବୁଜିମା ଭରା

ରୂପ,ରଙ୍ଗ,ରସେ ତମେ ତ ନିଆରା

କେବେ କୋଇଲିର କୁହୁ ।।


କେବେ ଝରୁଥାଏ ଶେଫାଳୀର ବାସ

କେବେ ଲାଗ ତମେ ପ୍ରୀତି ମଧୁମାସ

କେବେ ତ ଅଳକାନନ୍ଦା

କେବେ ତମେ ଲାଗ ଶବ୍ଦର ବିନ୍ୟାସ

କେବେ ପୁଣି ତମେ କାବ୍ୟର ନିର୍ଯ୍ୟାସ

କେବେ ତୁମେ ମଧୁଛନ୍ଦା ।।


କେବେ ନଇଁ ଆସ ସ୍ମୃତିଟିଏ ହୋଇ

କେବେ ସ୍ପର୍ଶ ଦିଅ ସ୍ବପ୍ନଟିଏ ହୋଇ

କେବେ ଆଙ୍କିଦିଅ ଛବି

ଝଲମଲ ହୁଏ ଚିତ୍ରର ସମ୍ଭାର

ଜୀବନ ବୀଣାର ମଧୁର ଝଙ୍କାର

ପ୍ରାଚୀ ଚକ୍ରବାଳେ ରବି ।।


ଶରତ କୁମାର ଦାସ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍