କବିତାରେ ଜୀବନ ରଙ୍ଗ
କବିତାରେ ଜୀବନ ରଙ୍ଗ
ତମେ ଧରିଥିଲ ମୋ ହାତ
ଅବା ମୁଁ ଧରିଥିଲି ତୁମ ହାତ
ମନେ ନାହିଁ ଦିନ ବାର କି ନକ୍ଷତ୍ର
ମନେ ନାହିଁ ବି ସେଇ ତିଥ
ହେଲେ ହେ କବିତା ରହିଅଛ ମୋ ସାଥ
ରଙ୍ଗ ଭରିବାକୁ ନିତ୍ୟ
ଜନମଧାମ ମୋ ପୁରୀଧାମ
ବୋଲାନ୍ତି ସଭିଏଁ ଶୀରିକ୍ଷେତ୍ର
ସେଇ କ୍ଷେତ୍ରପତି ଶରଧାରେ ଅତି
ଆଦେଶ ଦେଇଛନ୍ତି ଲେଖିବି କବିତା ଗୀତ
କରି ଜୀବନକୁ ରଙ୍ଗାୟିତ
ଅଗଣିତ ଏଇ ଲେଖକ ଭିଡରେ
ପରିସୀମା ମୋ ସୀମିତ
ଜନମାନସରେ ପ୍ରତିଷ୍ଠିତ ହେବା
ଲକ୍ଷ୍ୟ ମୋର ଏକମାତ୍ର
କବିତା ଭିତରେ ବୁଡିଯିବି ଭାଵି
ଲେଖେ ସଦା କବିତା ରୂପୀ ସାହିତ୍ୟ
ସାହିତ୍ୟ ରଙ୍ଗ ହେଉ ଅସ୍ଥିମଜ୍ଜାଗତ
କେତେ ସମ୍ବେଦନ ଅନୁରାଗ
ଆଉ ଯୁଗୋପଯୋଗୀ ସଂଗୀତ
କେବେ ବାର୍ତ୍ତା ପୁଣି ପରପୀଢ଼ି ପାଇଁ
ଲେଖେ ମୁଁ କବିତା ଗୀତ
ତାରି ଭିତରେ ଖୋଜୁଛି କେବେ ଅମୃତ
ରଙ୍ଗର ପଞ୍ଚାମୃତ
ସ ବ୍ୟାସାର୍ଦ୍ଧ ଜ୍ୟା ଆଉ ଚାପ
ବୋଧେ ପରିମିତି ସୂତ୍ର
ସେ ସବୁ ମିଶି ହୋଇଛି କବିତା
ମୁଁ ବୋଧହୁଏ ଏକ ଅର୍ଦ୍ଧବୃତ୍ତ
କବିତା ଲେଖିବା ଆସ୍ଫାଳନ ଏକମାତ୍ର
ଜୀବନ ପିଆଲା ରଙ୍ଗରେ ବଶୀଭୂତ l
