କବିତା ଦନାର ମାଝୀ
କବିତା ଦନାର ମାଝୀ
ସରଳ ସାଧା ସିଧା ମଣିଷଟେ
ଦିନ ମଜୁରିଆ ଦନାର ମାଝୀ,
ଖଟେ ଖାଏ ପାଳେ ପରିବାର
ପାରେ ସଭିଙ୍କ ଦୁଃଖ ସୁଖ ବୁଝି।
କଳା ମଚ ମଚ ଚେହେରା ତାର
କୁନ୍ଦିଲା କୁନ୍ଦିଲା ସୁଠାମ ଦେହ,
କରେ ନିତି ହାଡଭଙ୍ଗା ପରିଶ୍ରମ
ଆଖିରୁ ଝରାଏନା କେବେ ଲୁହ।
ଦୁଇ ହାତର ମେହନତି ତା' ସମ୍ବଳ
ସ୍ୱାଧୀନ ସ୍ଵତନ୍ତ୍ର ତାର ବିଚାରଧାରା,
କାହାରି କିଛି ଧାର ଧାରେନା ସେ
ସଭିଙ୍କଠୁ ତା' ଗୁଣ ଲାଗେ ନିଆରା।
ପାଠ ତାର କେବଳ ଜାଣିଛି ନାଁ ଲେଖି
ବୁଝାମଣାରେ ଶାନ୍ତ ସୁଧାର ବିନୟୀ,
କଥା କମ୍ କହେ କାମ ତା' ବେଶି
ଭୁଲ କଲେ କାହାକୁ କରେନା ଦାୟୀ।
ନୁହେଁ ସେ ମିଛ ସପନ ବିଳାସି
ବାସ୍ତବତାର ସାଥେ ଚାଲିଥାଏ ଲଢି,
ନିଜ କାମ ନିଜେ କରି ପାଏ ଖୁସି
ଭାବେନା ସରଗକୁ ସିଡି ବାନ୍ଧି ଯିବ ଚଢି।
ଦନାର ମାଝୀର ଗୁଣ ଚରିତ୍ର ଦେଖି
ଆଦର କରନ୍ତି ଭାଇ ବନ୍ଧୁ ସାଥୀ,
ନିରଳସ କାମ କରେ ସଭିଙ୍କ ପାଇଁ
ଦେବ ସମ ଭକ୍ତି କରେ ଆସିଲେ ଅତିଥି।
ତା' ପରି ଭଲ ମଣିଷ ଆଜିକାଲି ବିରଳ
ଜାଣେନା ବୁଝେନା ମିଛ ମାୟା ଖେଳ,
ଗୁଜବ କି ରାଜନୀତିରେ କାଟେନା କାଳ
ଆତ୍ମବିଶ୍ୱାସ ତାର ସାହା ଭରସା ବଳ।
ଏ ଦନାର ମାଝୀ ପରି ଭଲ ଲୋକ
ଆଜିର ସମାଜେ ପାଇବା ଭାରି କଷ୍ଟ,
ସଭିଙ୍କୁ ସେ ମାନେ ଭଲ ପାଏ
କାହାରି କରେନା କେବେ ଅନିଷ୍ଟ।
ତା' ଦୁନିଆଁରେ ସେ ଅଛି ଭାରି ଭଲ
ଲୋଭ ମୋହରେ ପଡି କରେନା ମନ୍ଦ,
ଅଳପେ ହୋଇ ସନ୍ତୁଷ୍ଟ ପାଏ ତୃପ୍ତି
ବୁଝିଛି ସେ ଜୀବନର ପ୍ରକୃତ ଆନନ୍ଦ।
ନିରିମଳ ମନ ପବିତ୍ର ଆତ୍ମା ତାର
ଯୁଗ ଯୁଗର ତପସ୍ୟାରୁ ପାଇଛି ସଂସ୍କାର,
ସଭିଙ୍କର କରେ ସେ ଉପକାର
ତାକୁ ଆପଣାର ଲାଗେ ସାରା ସଂସାର।
