କବିତା ଭୁଲ୍ ଠିକଣା
କବିତା ଭୁଲ୍ ଠିକଣା
ଭଗବାନ କହିଲେ ସ୍ଵପ୍ନରେ
ତାଙ୍କର ଭକ୍ତକୁ ଦିନେ,
ଭୁଲ ଠିକଣା ନେଇ କାହିଁକି
ଖୋଜୁଛ ମୋତେ ଏଣେ ତେଣେ ?
ମନ୍ଦିର ମସଜିଦ୍ ଗିର୍ଜା ଗୁରୁଦ୍ଵାରା
ସବୁଠି ଖୋଜୁଛ ମୋତେ,
ସ୍ଵାର୍ଥ ରଖି ପାଇବାର ଆଶାରେ
ପାର୍ଥିବ ଐଶ୍ଵର୍ଯ୍ୟ ଯେତେ।
ନିଜ ଅହଂକାରର ଦାମ୍ଭିକତା ପଣେ
ଭାବ ଭକ୍ତି ବିନା କର ପୂଜା ଅର୍ଚ୍ଚନା,
କେବେ ଭାବିଛି କି ତୁମେ
ମୋ ସୃଷ୍ଟିର ସମ୍ଭାର କରି ଦାନ
ମୋ ସାଥେ କରୁନ କି ପ୍ରବଞ୍ଚନା ?
ସବୁ ତ ଦେଇଛି ଏ ସଂସାରେ ଭରି
ତୁମ ସୁଖ ଶାନ୍ତି ଆନନ୍ଦ ପାଇଁ,
ତଥାପି ଉଦ୍ୟମ କି ବିନିଯୋଗ ନ କରି
ଭାବ କିଛି ନାହିଁ କିଛି ନାହିଁ।
ନିଜକୁ ସଂପୂର୍ଣ୍ଣ ସମର୍ପଣ କରି
ଦେଖ ଭୋଗଠାରୁ ତ୍ୟାଗରେ
ସନ୍ତୋଷ ଅଛି କେତେ,
ତ୍ୟାଗ ହିଁ ତ ଜୀବନର ସାଧନା
ବହୁ ଦୃଷ୍ଟାନ୍ତ ଅଛି ଜଗତେ।
ହୃଦୟରେ ଭରି ଘୃଣା ହିଂସା ଦ୍ୱେଷ
ଦେଖାଣିଆ କର ଉପାସନା,
ଭକ୍ତି ତ ଅନ୍ତରମୁଖୀ ସଦଭାବନାର
ଏକ ଶାଶ୍ଵତ ଦିବ୍ୟ ଚେତନା।
ଥିଲେ ନିଜ ପାଶେ ଅନାବିଳ ଭାବ
ଅଭାବ ନାହିଁ କିଛି ସଂସାରେ,
ପ୍ରକୃତ ଭଲ ପାଇବା ଚିରନ୍ତନ ସତ୍ୟ
ଛଳନା ପ୍ରତାରଣା କର ମିଥ୍ୟାଚାରେ।
ଏ ସବୁ ଯେତେ ଭୁଲ ଠିକଣା
ଜାଣୁ ଜାଣୁ ହୁଏ ବାଟବଣା,
ପକ୍ଷପାତ ଚିନ୍ତାଧାରା ମନେକରି ଧାରଣା
ଭୁଲି ଯାଅ ନ୍ୟାୟ ନୀତିର କଟକଣା।
ଛାଡ଼ି ଏ ସବୁ ଭୁଲ ଠିକଣା
ଉଦବୁଦ୍ଧ ହୁଅ ପାଇ ମୋ ପ୍ରେରଣା,
ହୃଦୟର ସାଥେ କର ବିବେଚନା
ସେ ହେବ ମୋ ପ୍ରତି ଉଚିତ ଆରାଧନା।
ନିଦ୍ରା ଭାଙ୍ଗି ଭକ୍ତ ପାଇଲା ଆତ୍ମଜ୍ଞାନ
ଭୁଲି ଯାଇ ସେ ଭୁଲ ଠିକଣା
ସତ୍ୟ ପଥର ସେ ହେଲା ପଥିକ,
ଲକ୍ଷ୍ୟସ୍ଥଳେ ପହଞ୍ଚି
ଜୀବନକୁ କଲା ସାର୍ଥକ।
