କାଉ ରାବଇ କା' କା'
କାଉ ରାବଇ କା' କା'
ଗଛ ଡାଳରେ ବସିଛୁ କିଆଁ
ରାବୁଛୁ କାଆ କା'
ଚାଉଳ ମୁଠେ ଦେଉଛି ତୋତେ
ଯାଆରେ ଉଡି ଯା' ।।
ମାମୁଁ ଗାଆଁକୁ ଯାଆରେ ଉଡି
ଗହିରୀ ବିଲ ଦେଇ
ଅଜା ଆଈ ମୋ ଚାହିଁ ଥିବେରେ
ବାରତା ଟିକେ ପାଇଁ ।।
ମାମୁଁଘରର ଉଚ୍ଚ ମଥାନେ
ବସିବୁ ଯାଇଁ ଧୀରେ
ପାଖରେ ଥିବ ବୁଢା ବରଟି
ଚିହ୍ନିବୁ ଏକାଥରେ ।।
ଘର ଆଗରେ ଦେଖିବୁ ତୁରେ
ପୋଖରୀଟିଏ ଥିବ
ପୋଖରୀ କୂଳେ ମନ୍ଦିର ଟିଏ
ଶୋଭା ତ ପାଉଥିବ ।।
ଟିକେ ଆଗକୁ ଯିବୁ ତୁ ଧୀରେ
ଦେଖିବୁ ଗାଆଁ ହାଟ
ଜାତିଜାତିକା ଦରବ କେତେ
ଲାଗିଥିବରେ ନାଟ ।।
ନଈପଠାକୁ ଯିବୁ ତୁ ଚାଲି
ମନ ହବରେ ଖୁସି
ସୁଲୁସୁଲିଆ ଧୀର ପବନେ
ଟିକିଏ ଯିବୁ ବସି ।।
ନଈ ସେପଟେ ବଣ ପାହାଡ
ଶୁଣିବୁ ହୁକେ ହୋ'
ବିଲୁଆ ନନା ବଡ ଚତୁର
କୁକୁର ଭୋଅ ଭୋ' ।।
ଫେରିବା ବାଟେ ଭୁଲିବୁ ନାହିଁ
ଭେଟିବୁ ଆଜା ଆଈ
କହିବୁ ତାଙ୍କୁ ଖରାଛୁଟିରେ
ଯିବିରେ ମୁଁ ଯେ ଧାାଇଁ ।।
