STORYMIRROR

Dr Baman Chandra Dixit

Others

3  

Dr Baman Chandra Dixit

Others

କାଶତଣ୍ଡୀ କେରା କେରା

କାଶତଣ୍ଡୀ କେରା କେରା

1 min
205


ଶରତ ଆକାଶୁ ଜହ୍ନ ଅନେଇଛି

ନଈ ଆଇନାରେ ଚେହେରା ଦେଖୁଛି

ଛଳ ଛଳ ପାଣି ଚହଲା ଚହଲା

ଫୁଲ କାଶତଣ୍ଡୀ ଢେଉରେ ଦୋଳୁଛି।।


କାଶତଣ୍ଡୀ ଫୁଲ ଛଟକି ଫୁଲେଇ

ସଜାଡିଛି ଗଭା ଗଜରା ସଜେଇ

ଧୋବ ଫରଫର କେରା କେରା ତୋରା

ରୂପେଲି ରେଣୁରେ ଚନ୍ଦ୍ରିକା ତୋଳିଛି।।


ମତୁଆଲି ନଈ ହସି ରସି ବହେ

ଅଙ୍ଗ ବାସ ଝିନ ପାଟ ଖସି ଯାଏ

ନୀଳ ପଣତର ଧାରେ ଧାରେ ଅବା

ରୁପା ତାରକସି ଯତନେ ବୁଣିଛି।।


ଅବା ଶରତର ସ୍ୱାଗତ ଗୀତିକା

ତଟିନୀ ଗାଉଛି କଳ-କଳ ଏକା

କାଶତଣ୍ଡୀ ଫୁଲ ପାଶେ ପାଶେ ରହି

ଧବଳ ଚାମର ଆଲଟ କରୁଛି।।


ଅବା ଶାରଦୀୟ ଦେବୀ ଆଗମନୀ

ଗୀତିକା ଗାଉଛି ଅଧିରେ ଧରଣୀ

ଶୁଭ ଅଭ୍ର-ଶୁଭ୍ର ପୁଷ୍ପ ଗୁଚ୍ଛ ତୋଳି

କାଶତଣ୍ଡୀ ପୁଷ୍ପାଞ୍ଜଳି ଅରପୁଛି।।


ଆସ ମାଆ ଶାରାଦେ ଅଭୟ ଦାୟିନୀ

ଆଦ୍ୟାଶକ୍ତି ଦୁର୍ଗେ ଦୁର୍ଗତି ନାଶିନୀ

ନଷ୍ଟ କର ଦୁଷ୍ଟ ପାପିଷ୍ଟ ପାମର 

ଶ୍ୱେତ ଶିଖରୁ କି ଇଷ୍ଟ ମନାସୁଛି।।

************************



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍