କାର୍ତ୍ତିକ ପୂର୍ଣ୍ଣିମା
କାର୍ତ୍ତିକ ପୂର୍ଣ୍ଣିମା
ଆମ ସଂସ୍କୃତିରେ କାର୍ତ୍ତିକ ପୂର୍ଣ୍ଣିମା
ଅଟେ ଏକ ପୂଣ୍ୟ ଦିନ
ପରମ୍ପରା ଆଳେ ପ୍ରଭାତରୁ ଉଠି
ସଭିଏଁ କରନ୍ତି ସ୍ନାନ l
ନୌବାଣିଜ୍ୟର ସ୍ମୃତି ବଖାଣନ୍ତି
ବୋଇତ ବନ୍ଦାଣ କରି
ଭଜନ କୀର୍ତ୍ତନେ ଦିନ କାଟିଥାନ୍ତି
ହୃଦୟରେ ଭକ୍ତି ଭରି l
ଆ-କା-ମା-ବୈ ଧ୍ୱନି ଉଚ୍ଚାରଣ କରି
ସର୍ବେ ଭସାନ୍ତି ବୋଇତ
ପଞ୍ଚୁକ ତିଥିରେ ବୁଡ଼ ଯେ' ପକାନ୍ତି
ନ ଡରି ସକାଳ ଶୀତ l
କଦଳୀ ପାଟୁକା ଡ଼ଙ୍ଗାକୁ ଭସାନ୍ତି
ପାନ ଗୁଆ ଥୋଇ ଦେଇ
ମାସକ ଯାକର ଧର୍ମ ଅରଜନ୍ତି
ମନ୍ଦିରେ ଦୀପ ଜଳାଇ l
ସକାଳ ସଞ୍ଜରେ ରଙ୍ଗୋଲି ପକାଇ
ଜାଳିଥାନ୍ତି ଧୂପ ଦୀପ
ବୃଦ୍ଧ ବୃଦ୍ଧା ଯେତେ ଏ ପୂଣ୍ୟ କାର୍ତ୍ତିକେ
କରିଥାନ୍ତି ଜପ ତପ l
ଶଙ୍ଖ ହୁଳହୁଳି ଶବଦେ କମ୍ପଇ
ଆମ ଏ ପବିତ୍ର ମାଟି
ମହା କାର୍ତ୍ତିକର ଭକ୍ତିମୟ ପଥେ
ରିଷ୍ଟ ଯାଏ ଆପେ କଟି l
