STORYMIRROR

SARATA KUMAR DAS

Others

3  

SARATA KUMAR DAS

Others

କାଳିଆ ରଜା

କାଳିଆ ରଜା

1 min
14.2K


ହେଇ କଳାମେଘ ଆସିଲାଣି ମାଡି

ଟପର ଟପର ପଡିଲାଣି ଝଡି

କାଳିଆ ରଜାର ଯାତ ,

ବରଷକେ ଥରେ ନନ୍ଦିଘୋଷେ ଚଢି

ବୁଲିବେ ଜଗତ ନାଥ ।।


ପଣ୍ଡା ପଢିହାରୀ ଭକତଙ୍କ ଭିଡ

ଆଲଟ ଚାମର କେତେ ବେତ ମାଡ

ସାତ ଜନ୍ମ ପୂଣ୍ୟ ଫଳ ,

ଭାଇ ଭଉଣୀଙ୍କ ସାଥେ ଘୋଷଯାତ

ଶୋଭୁଛି ଦୟଣା ମାଳ ।।


ମୃଦଙ୍ଗ କଂସାଳ ଝାଂଜ କରତାଳି

ଝୁଲି ଆସୁଛନ୍ତି ପ୍ରଭୁ ବନମାଳି

ସୃଷ୍ଟିର ସୁରକ୍ଷା ପାଇଁ ,

ମରତ ମଣ୍ଡଳେ ଦାରୁବ୍ରହ୍ମ ସାଜି

କେତେ ଲୀଳା କରୁଥାଇ ।।


କିଏ କହେ ତୁମେ ଶୂନ୍ୟ ବ୍ରହ୍ମ ବୋଲି

କିଏ କହେ ପୁଣି ପୂର୍ଣ୍ଣ ବ୍ରହ୍ମ ବୋଲି

ତୁମେତ ଅଗତି ଗତି ,

ରଥାରୂଢ ହୋଇ ଜଗତ ବୁଲିବେ

ଭକତେ ପାଇବେ ମୁକ୍ତି ।।


କାଠ ପାଷାଣରେ ଦେଖେ କେ ମୂରତି

ମାନବ ରୂପେଣ କେ କରଇ ପ୍ରୀତି

ଭକ୍ତି ଫୁଲେ କିଏ ପୂଜେ ,

ସର୍ବ ଧର୍ମର ତ ସମନ୍ବୟ ତୁମେ

ନୀଳକନ୍ଦରରେ ବିଜେ ।।


ଦେଖେ କେ ତୁମକୁ ନୀଳ ନୀଳିମାରେ

ଚିହ୍ନେ କେ ତୁମକୁ ମନ୍ଦିର ଗୀର୍ଜାରେ

ଜହ୍ନର ଜୌସ୍ନାରେ ତୁମେ ,

ବର୍ଷାର ବିନ୍ଦୁରେ ଢଳଢଳ ରୂପ

ଅମା ଅନ୍ଧକାରେ ତୁମେ ।।


ଆକାଶେ ଶୁବୁଛି ଓଁ କାର ଶବଦ

ସାଗରେ ମୂର୍ଚ୍ଛନା ତୋଳେ ବ୍ରହ୍ମ ନାଦ

ଘଣ୍ଟ ଘଣ୍ଟା ହୁଳହୁଳି ,

ରଥ ଗଡୁଥିବ ଶରଧା ବାଲିରେ

ଶ୍ରଦ୍ଧାର ଝଂକାର ତୋଳି ।।


ମୁକ୍ତି ମଣ୍ଡପରେ ମୁକତିର ଦ୍ବାର

କଳପ ବଟରେ କଳ୍ପନାର ଡୋର

ନେତ ଉଡେ ଫର ଫର,

ଭକତଙ୍କ ମେଳେ ରଥ ଗଡି ଚାଲେ

ଲକ୍ଷ୍ମୀ ଠାକୁରାଣୀ ପର ।।


ହେ ନଟ ନାଗର କାଳିଆ ଠାକୁର

ଦେବତା ତୁମେ ମୋ ରୂପ ଅରୂପର

ବିଶ୍ବପତି ବିଶ୍ବପ୍ରାଣ ,

କରୁଣା ଟିକିଏ ମାଗୁଛି ଗୋସାଇଁ

ଲୋଡା ନାହିଁ ଧନ ଜନ ।।


ସ୍ନାନ ମଣ୍ଡପ ମୁଁ ଦେଖିନାହଁ କେବେ

ରଥ ଦଉଡି ମୁଁ ଛୁଇଁ ନାହିଁ କେବେ

ସପନେ ଦେଖୁଛି ନିତି ,

ନନ୍ଦିଘୋଷ ରଥ ଗଡୁଥାଉ ସଦା

ଗାଇ ଶାନ୍ତି ମୈତ୍ରୀ ଗିତି ।।

-------------------------------

ଶରତ କୁମାର ଦାସ

ଅଧ୍ୟାପକ,ବଡବିଲ ମହାବିଦ୍ୟାଳୟ,ବଡବିଲ

କେନ୍ଦୁଝର।

ମୋ-9438243149


Rate this content
Log in