କାହ୍ନା ପ୍ରତି
କାହ୍ନା ପ୍ରତି
ରେ କାହ୍ନା
ଜୋତ୍ସ୍ନା ପୂରିତ ଏ ସଂନ୍ଧ୍ୟାରେ
ମନ ମୋର ହୁଏ ଆନମନା
ହୃଦୟରେ ଉଙ୍କିମାରେ
ତୋର ମିଠା ସେ ମୁରଲି ସ୍ବନ।
ଚନ୍ଦ୍ର ତା' ରୂପେଲି କିରଣେ
ଚୁମେ ତୋ ଚରଣ ଯୁଗଳ।
ପୁଷ୍ପରାଜି ପ୍ରସ୍ଫୁଟିତ ହୋଇ
ସାଦରେ ନମନ୍ତି ପୟର।
ରେ କାହ୍ନା
ଏ ପୃଥିବୀ ସୂର୍ଯ୍ୟ ତାରା
ଗ୍ରହ ରାଜି ସବୁ ତୋର ସୃଷ୍ଟି।
ତୋ ପାଦେ ପ୍ରଣାମ କରି
ମସ୍ତକେ ଲଗାଏ ତୋ ଚରଣ ମାଟି।
ତୋ କରୁଣା ସିନ୍ଧୁରୁ ତୁ
ବିନ୍ଦୁଏ ମୋତେ କୃପା କରି,
ଏ ମୋହ ମାୟା ସଂସାରେ
କରେଇଦେ ମୋ ନାବ କୁ ପାରି।ରେ କାହ୍ନା
ଜାଣେନା ମୁଁ କେଉଁ ଜନ୍ମ
କୃତ କର୍ମଫଳ ପାଇଁ
ଏ ଧରାରେ ନେଲି ଜନମ
ଏ ଗହୀର କଥା ତୁହି ଏକା ଜାଣୁ
ପ୍ରଭୁ ଘେନ ମୋ ପ୍ରଣାମ।
ମାୟା ବନ୍ଧନରେ ଛନ୍ଦି ହୋଇ ମୁଁ ଯେ
ନାନା ଦୁଃଖ ଭୋଗ କରେ।
ତୋ' ବିନା କେ ନାହିଁ
ବୁଝିବ ମୋ ଦୁଃଖ
ନେବ ଏ କଷଣୁ ଦୂରେ।
ରେ କାହ୍ନା
କେହି ନ ବୁଝିଲେ
ତୋ ପରଶ ଦେଇ
ମୋତେ ତୁ କୋଳେଇ ନେବୁ
ତୁଚ୍ଛ ହେଲେ ବି ମୁଁ ତୋରି ସନ୍ତାନ
ଏ କଥା ପାଶୋରି ନ ଯିବୁ।
ମୋର ଏ ଜୀବନ ନ ହେବ ଅସାର
ଚିର ଦିନ ବାସୁଥିବି।
ଜନମାନସରେ ପ୍ରତି ହୃଦୟରେ
ଆନନ୍ଦ ମୁଁ ଯେ ଭରିବି।
ରେ କାହ୍ନା
ମୋ ଜୀବନ ଦୀପ ଲିଭେଇ ଦେ'ତୁ
ତୋ ପାଖରେ ଜଳୁଥିବି।
ଧନ,ରତ୍ନ,ଜନ ଲୋଡା ନାହିଁ କିଛି
ତୋ'ସେବା ନିତି କରିବି।
