STORYMIRROR

Chinmaya Kumar Nayak

Others

4  

Chinmaya Kumar Nayak

Others

କାହ୍ନା ଆସୁଛି କି !

କାହ୍ନା ଆସୁଛି କି !

1 min
82

ଅନ୍ତରୀକ୍ଷୁ ଭାସି ଆସେ ମୁରଲୀର ସ୍ୱନ,

ପୁଲକେ ରୋମାଞ୍ଚେ ନାଚେ ବିଗଳିତ ମନ।

ଭାଙ୍ଗିଯାଏ ଜଡ଼ତ୍ୱର କଳଙ୍କି ଶିକୁଳି,

ଜାଗିଉଠେ ଚେତନାର ସୁପ୍ତ ଛନ୍ଦାବଳୀ।

ଅମାରାତି ଛାତି ଚିରି ଜ୍ୟୋତି ପରକାଶେ,

ଦେହ ବନ୍ଦୀଘରେ ଆତ୍ମା ସଧିରେ ବିକଶେ।

ସଂସାର ଯମୁନା ଗର୍ଭେ ପ୍ରଳୟ ଆଭାସ

କାହା ଯାଦୁ ବଳେ ଯେହ୍ନେ ଝଡ଼ ହୁଏ ବଶ।

ମୃଦୁ ପଦେ ଢଳି ଢଳି କିଏ ଆସୁଛି କି

ଶିଖୀପୂଛ ଦିଶିଲାଣି କାହ୍ନା ଆସୁଛି କି।

ରାତ୍ରୀ ଲାଜେ ଲୁଚେ ଦୁରେ ଦେଖି ଶ୍ୟାମଘନ

ହସ ତାର କୃଷ୍ଣ ମେଘେ ବିଜୁଳି ଯେସନ।

ହମ୍ବା ରଡ଼ି ଛାଡିଲେଣି ଗାଈଗୋଠେ ଗାଈ

ଗୃହତେଜି ଧାଇଁ ଆସେ ପ୍ରେମୋନ୍ମାଦେ ରାଇ।

ଗୋପୀଏ ଲହୁଣୀ ହାଣ୍ଡି ଶିକାରୁ ଓହ୍ଲାଇ

ତଳେ ରଖି ଦ୍ୱାର ଖୋଲି ଲୁଚନ୍ତି କିମ୍ପାଇଁ।

ଭୟେ ଥରହର ହୁଏ ଅଧର୍ମୀ ହୃଦୟ

କୃଷ୍ଣ ଆଗମନେ ଆଜି ଜଗତ ନିର୍ଭୟ। 

ଜୀବ ହସେ ପରମର ଧରାବତରଣେ,

ଆନନ୍ଦେ ବିଭୋର ବିଶ୍ୱ କୃଷ୍ଣନାମ ଉଚ୍ଚାରଣେ। 



Rate this content
Log in