STORYMIRROR

Kali Kumar

Others

3  

Kali Kumar

Others

କାହିଁକି ଏ ବାନା ?

କାହିଁକି ଏ ବାନା ?

1 min
191

 

କାହିଁକି ଏ ବାନା ଉଡ଼ାଅ ଗୋ ନାନା

ମିଛ ଶଠତାର ଚାଳେ,

ତୁମ ସରକାର କଳା ଟଙ୍କା ବିନା

ଘଡ଼ିକିଏ କ'ଣ ଚଳେ ? ।୧।


କାହିଁକି ପିଟୁଛ ଡିନ୍ ଡିମ ତୁମେ

ସ୍ୱଚ୍ଛ ସରକାର ବୋଲି,

ଟେବୁଲ ତଳର ରହସ୍ୟ ଯେତକ

ଗଲଣି କି ତୁମେ ଭୁଲି ? ।୨।


କାହିଁ କେତେ ସ୍ୱଚ୍ଛ ତୁମ ସରକାର

ଆମ୍ଭକୁ ସେ କଥା ଜଣା,

ବୃଥା ସେ ନିୟମ ବୃଥା ସେ କାନୁନ୍

ଅନ୍ଧ ଖାଲି ବାଟବଣା ।୩।


ସମୟଟା ଯଦି ନିତ୍ୟାନ୍ତ ମୋ ପାଇଁ

ତୁମେ କିଆଁ ନୁହଁ ସ୍ୱଚ୍ଛ,

ବିଜ୍ଞାପନ ତୁମ ଶୁଭ୍ର ଫରଫର

ଅନ୍ୟ ସବୁ କଥା ମିଛ ।୪।


ଏଯାଏଁ ଲିଭିନି ଦୂର୍ନୀତି ମନରୁ

ସ୍ୱଚ୍ଛତା କାହୁଁ ସମ୍ଭବ,

କୁତ୍ସିତ ସ୍ୱଭାବେ ଦୁର୍ଲ୍ଲଭ ଗୁଣଟି

ସହଜ କ'ଣ ହୋଇବ ? ।୫।


ନିୟମ କାନୁନ୍ ନିୟମ ବାଟରେ

ପରିବର୍ତ୍ତନ ଯେ ସ୍ୱପ୍ନ,

କିଆଁ ଅନ୍ୱେଷଣ ଅମା ରଜନୀରେ

ପୂର୍ଣ୍ଣିମାର ଶୁଭ୍ର ଜହ୍ନ ।୬।


ଅନ୍ୟକୁ ଆଲୋକ କିପରି ସମ୍ଭବ

ଦୀପ ତଳ ଅନ୍ଧକାର,

କଳା ଗଦି'ପରେ କଳା ସ୍ୱଭାବରେ

କିଆଁ ସ୍ୱଚ୍ଛତା ପ୍ରଚାର ? ।୭।


ଯେତେ ଅନୁଷ୍ଠାନ ଯେତେ ପ୍ରତିଷ୍ଠାନ

ସବୁଠି ନିୟମ ଲାଗୁ,

ତେବେ କୁହ କିଆଁ ଶୋଷଣର ଜ୍ୟୋତି

ପ୍ରଜ୍ଵଳିତ ଦାଉ ଦାଉ ।୮।


ପ୍ରତିଟି ମୁହୂର୍ତ୍ତେ ଦଗ୍ଧ ଶବ ହୋଇ

ମୁଁ କିଆଁ ସେଥିରେ ଜଳେ,

କୁହ ସରକାର ସର୍କାରୀ ଚକଟି

ଦୂର୍ନୀତି ବିନା ନ ଚଳେ ? ।୯।


ନିୟମ କାନୁନ୍ ରଙ୍ଗୀନ୍ ଅକ୍ଷରେ

ଇନ୍ଦ୍ରଧନୁ ପରି ଦିଶେ,

ରଙ୍ଗୀନ୍ ପ୍ରଚ୍ଛଦେ କୁତ୍ସିତ ଦୂର୍ନୀତି

ମୁରୁକି ମୁରୁକି ହସେ ।୧୦।


ସୁଧାର ସୁଧାର ଦୂର୍ନୀତି ସୁଧାର 

କଳାରେ ଅଙ୍କୁଶ ଦେଇ,

ସ୍ୱଚ୍ଛତା ଆସିବ ଆପଣାର ଛାଏଁ

5T ଦରକାର ନାହିଁ ।୧୧।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍