କାହିଁ ସେହି ପିଲା ଦିନ
କାହିଁ ସେହି ପିଲା ଦିନ
କାହିଁ ସେହି ପିଲା ଦିନ
ସ୍ମୃତିକୁ କରି ମନ୍ଥନ
ବହି ବସ୍ତାନୀକୁ ଫୋପାଡ଼ି ଦୁଆରେ
ଖେଳିବାକୁ ଚାହେଁ ମନ ।
ବୋଉ ମିଠା ଗାଳି
ବାପାଙ୍କ ଆକଟ
ମନେପଡି ଗୋଟି ଗୋଟି
ଲାଗଇ ଜୀବନ୍ତ ।
ବୋହୁ ଚୋରି ଖେଳ
ସାଥି ସାଙ୍ଗ ମେଳ
ଆଙ୍ଗୁଳି ଦେଖାଇ କହେ
ବୁଡ଼ିଲାଣି ବେଳ ।
ନଥିଲା କପଟ
ନଥିଲା ଛଳନା
ସେଦିନ ହାତେ ମୋ ଥିଲା
ବହି କୁ ଖେଳନା ।
ଵୋଉ ଉପଦେଶ
ମୋ ମନେ ସାହସ
ବାପାଙ୍କ କଠୋର ବାଣୀ
ଆଣିଦିଏ ଯଶ।
ଆଜି ଏ ଅବେଳେ
ହୃଦୟେ ମୁଁ ଭାଳେ
କାହିଁଛନ୍ତି ତାତ,ମାତ
ବସିବି ମୁଁ କୋଳେ।
ସଂସାର ଜଞ୍ଜାଳ
ବଢ଼ିଲା ପ୍ରବଳ
ଛଟପଟ ହୁଏ ଦେଖି
କପଟିଆ ଖେଳ ।
ଏବେ ମୁଁ ଜାଣୁଛି
ଏବେ ମୁଁ ବୁଝୁଛି
ନିଜେ ବାପା ହେଲାପରେ
ଆଜି ସବୁକିଛି ।
ରକତ ନିଗାଡି
କରି କ୍ଷେତ,ବାଡ଼ି
ବଢ଼େଇଥିଲେ ସେ ମତେ
ଆଣ୍ଟଏ ଅଣ୍ଟା ଭିଡି ।
କରି ମୁଁ ଚାକିରୀ
ଆଜି ପାଉଛି ଉପୁରି
ପିତା ମାତାଙ୍କ ଉଦର
ପାରେ ନାହିଁ ଭରି ।
ରହେ ମୁଁ ସ୍ୱର୍ଣ୍ଣ ମହଲେ
ଦାରା,ପୁତ୍ର ମେଳେ
ବୃଦ୍ଧାଶ୍ରମେ ପିତା,ମାତା
ଥାନ୍ତି ଅବହେଳେ ।
ମନେପଡି ଗୋଟି ଗୋଟି
ଛାତି ଯାଏ ଫାଟି
ଫେରିବାକୁ ଚାହେଁ ମନ
ସେହି ଜନ୍ମମାଟି।