କାଗଜ ଡଙ୍ଗା
କାଗଜ ଡଙ୍ଗା
କାଗଜ ଡ଼ଙ୍ଗା
ତୁହା କୁ ତୁହା ବରଷା,
ମାରେ ଘଡଘଡି, ଚଡଚଡ଼ି,
ପାଣି ସରସର ଗାଁ ଦାଣ୍ଡ,
ନାଳ ଯାଉଥାଏ ପୁରି ।
ହାତେ ହାତ ଧରି ସାଥେ,
ବରଷାରେ ଭିଜି ଭିଜି,
ପାଦ ତଳ ବତୁରୀ ବତୁରୀ,
କତରା ଯାଏ ଲାଗି ।
ବାପା ମାଆଙ୍କ ଆକଟ ସତ୍ୱେ,
ପଦାକୁ ଯାଏ ପାଦ,
କାଦୁଅରେ ଖସି କେବେ କେବେ,
ଦେହ ହୁଏ ଲଟପଟ ।
ମଝି ଧାରରେ କାଗଜ ଡଙ୍ଗା,
ଧୀରେଧୀରେ ଯାଏ ଭାସି,
ଗୀତ ଗାଇ ଗାଇ ଆମେ,
ହଉଥିଲୁଁ କେତେ ଖୁସି ।
ମନେପଡେ ଆଜି ସେ ଗୀତ...
"ଯାଆରେ ଭାସି ଭାସି ଯାଆ,
ନଉକା ମୋର ଭାସି ଯାଆ ।"
ଆଉ ନାହିଁ ପୁରୁଣା ଦିନ,
ପାଠ ପଢା ଚାପରେ,
ଛୁଆ ସବୁ ଭୁଲି ଗଲେ,
ପୁରୁଣା ଖେଳ ସତରେ ।
କାହିଁ ସେ ଲୁଚକାଳି ଖେଳ,
କାହିଁ ବାଡି ଡ଼ିଆଁ,
କାହିଁ ସେ କଉଡ଼ି ଖେଳ,
କାହିଁ ସେ ଦୌଡ଼-ଛୁଆଁ ।
ହେ ସମୟ ପୁଣି ଫେରେଇଦେ,
ମୋ ବାଳୁତ କାଳ,
ଥରେ ଯାଇ ଭେଟି ଆସନ୍ତି,
ବାଳ ସାଥି ମେଳ ।