STORYMIRROR

Ratinarayan Rout

Others

4  

Ratinarayan Rout

Others

ଜୟ ଶ୍ରୀକୃଷ୍ଣ (ଜନ୍ମାଷ୍ଟମୀ )

ଜୟ ଶ୍ରୀକୃଷ୍ଣ (ଜନ୍ମାଷ୍ଟମୀ )

1 min
148

(ରାଗ -ଚୋଖି )

~~~~~~~~~~~~~~~~

ଧର୍ମ ସଂସ୍ଥାପନ ପାଇଁ ଯୁଗଧର୍ମରକ୍ଷାନେଇ

ଅବତରି ଆସିଥାଅ ସଂସାରେ ତୁମେ

ସତ୍ୟ ତ୍ରେତୟା ଦ୍ୱାପରେ ଆସିଛ କେତେ ରୂପରେ

ନରନାରାୟଣ ରୂପେ ଏ ଧରା ଧାମେ

ତ୍ରେତୟାରେ ରାମାବତାରେ

ଦ୍ୱାପରେ ଆସିଲ ପ୍ରଭୁ କୃଷ୍ଣ ରୂପରେ ll1ll


ଭାଦ୍ର କୃଷ୍ଣ ଅଷ୍ଟମୀରେ ବୃଷ ରୋହିଣୀ ନକ୍ଷେତ୍ରେ

ବସୁଦେବ ଦେବକୀଙ୍କ ଗର୍ଭ ଅଷ୍ଟମେ

କଂସରାଜ ବନ୍ଦୀଶାଳେ  ନିଶାର୍ଦ୍ଧ ରଜନୀ କାଳେ

ଲୀଳା ଭିଆଇଲ ପ୍ରଭୁ ଏ ଧରାଧାମେ

ମୋହିତ ହୋଇଲେ ସଭିଏଁ

ଫିଟିଲା ତାଟି କବାଟ ଆପଣା ଛାଏଁ ll2ll


ଜଗୁଆଳ ଉଗ୍ରେସେନ   ଦେଲ ପ୍ରଭୁ ଦରଶନ

ବାସୁଦେବ ନେଇଦେଲେ ଯଶୋଦା କୋଳେ

ଘୋର ବରଷା କାଳରେ  ବିଜୁଳି ଚମକ ମାରେ

ଯମୁନା ଉଛୁଳି ଉଠେ ଭକତି ଭୋଳେ

ପଞ୍ଚଫେଣି ଛାତ୍ର ହୋଇଲା

ନନ୍ଦଯଶୋଦା ମା'କୋଳ ପୁରି ଉଠିଲା ll3ll


ଆଣି ବିଜୁଳିକନ୍ୟାକୁ ଦେଲେ କଂସ ରାଜନଙ୍କୁ

ମାରିବା ବେଳେ ଉଭାନ ହୋଇ ବୋଇଲା

ଆହେ ଦୁଷ୍ଟ କଂସ ରାଜ ଗୋପେ ତୋ ମରଣ ହେଜ

ଯୋଗ ମାୟା ଶୂନ୍ୟବାଣୀ ଦେଇ କହିଲା

କଂସ ଚକ୍ଷୁ ନିଦ୍ରା ହଜିଲା

ବିଷ୍ଣୁଙ୍କ ମାୟାରେ ମତି ଭ୍ରମିତ ହେଲା ll4ll


ମାରିବାକୁ ଶ୍ରୀକୃଷ୍ଣଙ୍କୁ  ପଠାଇଲା ଅସୁରଙ୍କୁ

ବକା ପୁତନା ସକଟା ତୃଣାବର୍ତ୍ତକୁ

ବାଲ୍ୟକାଳେ ନାଶି ତାଙ୍କୁ ଧରି ଗୋପଗୋପାଳଙ୍କୁ

ଗୋପପୁରେ ଆରମ୍ଭିଲେ ତାଙ୍କ ଲୀଳାକୁ

ଇନ୍ଦ୍ର ଗର୍ବ ଚୁନା କରିଲେ

ଟେକି ଗୋବର୍ଦ୍ଧନ ହସ୍ତେ କୀର୍ତ୍ତି ରଖିଲେ ll5ll


ନନ୍ଦ ଯଶୋମତୀ ପ୍ରାଣ  ରାଧିକା ଜୀବଜୀବନ

ଗୋପେ ରାସ ଲଗାଇ ସେ ମନ ମୋହିଲେ

କାଳୀୟ ଦର୍ପକୁ ନାଶି  ବଜାଇ ମୋହନ ବଂଶୀ

କଦମ୍ବ ଯମୁନା କୂଳେ ଲୀଳା କରିଲେ

ଅକ୍ରୂର ସାଥିରେ ଆସିଲେ

ଧନୁଯାତ୍ରା ଦେଖିବାକୁ ମଥୁରା ଗଲେ ll6ll


ସେ ଠାରେ କଂସକୁ ମାରି  ପିତାମାତାଙ୍କୁ ଉଦ୍ଧାରି

ଉଗ୍ରେସନେ ରାଜା କରି ପ୍ରଜା ପାଳିଲେ

ମହାଭାରତର ଯୁଦ୍ଧେ   ଅର୍ଜୁନ ସାରଥୀ ସାଥେ

କୁରୁବଂଶ ଅଧର୍ମକୁ ଧ୍ୱଂସ କରିଲେ

ଅଷ୍ଟବକ୍ର ଋଷି ଶାପରେ

ଯଦୁବଂଶ ନାଶ ହେଲା ତାଙ୍କ ଇଚ୍ଛାରେ ll7ll


ସିଆଡ଼ିଲତାରେ ଶୋଇ ବନମାଳୀ ଭାବଗ୍ରାହୀ

ବାଳୀପୁତ୍ର ଅଙ୍ଗଦର ମାନ ରଖିଲେ

ପିତୃହତ୍ୟା ପ୍ରତିଶୋଧ  ପୁରଣ ନିମନ୍ତେ ସେତ

ଜରାଶବର ହାତରେ ବିଦ୍ଧ ହୋଇଲେ

ମତ୍ସପେଟ ଲୌହ ତୀରରେ

ଧର୍ମ ସଂସ୍ଥାପନ କରି ସ୍ୱଦେହେ ଗଲେ ll8ll


ବନମାଳୀ ଚକ୍ରଧାରୀ  କୃଷ୍ଣହରି ଦଇତାରୀ

ମୁକୁନ୍ଦ ମୁରାରୀ ପ୍ରଭୁ ହେ ଯଦୁମଣି

ମଧୁସୂଦନ ଶ୍ରୀଧର   ହୃଷିକେଶ ବେଣୁଧର

କଳ୍ପତରୁ ଦାମୋଦର ହେ ଚିନ୍ତାମଣି

ଦୀନବନ୍ଧୁ ହେ କୃପାସିନ୍ଧୁ

ନାମ ଗାଇ ପାରି ହେବା ଏ ଭଵସିନ୍ଧୁ ll9ll



Rate this content
Log in