STORYMIRROR

SARATA KUMAR DAS

Others

3  

SARATA KUMAR DAS

Others

ଜନ୍ମାଷ୍ଟମୀ

ଜନ୍ମାଷ୍ଟମୀ

1 min
305


ଶୁଣ କୁନା କୁନି ଶୁଣ ମୁନା ମୁନି

ଶୁଣ ଟୁନି ଆଉ ଟୁନା

ମାତା ଦେବକୀଙ୍କ ଅଷ୍ଟମ ଗର୍ଭରେ

ଜନ୍ମ ନେଇଥିଲେ କାହ୍ନା ।।


ଆଜି ଏ ପବିତ୍ର ତିଥି ପରା ଜାଣ

ଶ୍ରୀକୃଷ୍ଣଙ୍କ ଜନ୍ମଦିନ

ଜନ୍ମାଷ୍ଟମୀ ବୋଲି ଜଗତେ ବିଖ୍ୟାତ 

ଭକ୍ତିଭାବେ ପୂରେ ମନ ।।


ମଥୁରା ନଗରେ କଂସ କାରାଗାରେ

ମେଘ ଅନ୍ଧକାର ରାତି

ଭୂମିଷ୍ଠ ହୋଇଲେ କୁଆଁ ଡାକ ଦେଲେ

ଚମକି ପଡିଲା ଛାତି  ।।


ବିଜୁଳି ଚମକେ ଆଲୋକିତ ହେଲା

ସର୍ବଂସହା ବସୁନ୍ଧରା 

ପାପର ପାହାଡ ହେଲା ଥରହର

ଚକିତ ହେଲା ମଥୁରା ।।


ଯମୁନାର ପାଣି ଦୁଇ ଭାଗ ହେଲା

କାହ୍ନା ଚାଲିଗଲେ ଗୋପ

ମାତା ଯଶୋଦାଙ୍କ ଆଖିର ପିତୁଳା

ଶତୃଙ୍କ ହୃଦୟେ କୋପ  ।।


ସର ଲବଣିରେ ବଳିଲା ଶରଧା

କରିଲେ ଲବଣି ଚୋରି 

ଗୋପ ନଗରୀରେ ଚହଳ ପଡିଲା

ଯଶୋମତୀ ମନ ଭାରୀ  ।। 


ଗୋରୁପଲ ଧରି ବଣ ବାହାରିଲେ

ଗୋପାଳ ପିଲାଙ୍କ ସାଥେ

ପାଦେ କଣ୍ଟା ଫୁଟି ରକତ ବୋହିବ

ଯଶୋଦାଙ୍କ ଚିନ୍ତା କେତେ  ।।


ଗୋପ ଗୋପାଳୁଣୀ ଗାଈଗୋଠ ହେଲା

ଜୀବନର ଆପଣାର

ଯମୁନାର କୂଳେ କଦମ୍ବ ମୂଳରେ

ଶୁଭିଲା ବଂଶୀର ସ୍ବର  ।।


ରାଧା ମାଇଁ ସହ ହେଲା ତାଙ୍କ ଭାବ

ପଡିଲା ଗୋପରେ ହୁରି

କେତେ ଲୀଳା ଖେଳା କଲେ କଳା କାହ୍ନୁ

କଲେ ଗୋପୀ ମନ ଚୋରି   ।।


ଭାଇ ବଳରାମ ରୋହିଣୀ ନନ୍ଦନ 

ସଦା ପାଖେ ପାଖେ ଥିଲେ

ମୁନି ଋଷିଙ୍କର ସମ୍ମାନ ରଖିଲେ 

ରାକ୍ଷାସଙ୍କୁ ବଧ କଲେ ।।


କଂସମାମୁଁ ତାଙ୍କ ମନ୍ଦ ବୁଦ୍ଧି କଲେ

ମଥୁରାକୁ ଡକାଇଲେ

ବାଳୁତ କୃଷ୍ଣ ଙ୍କ ବିଶ୍ଵରୂପ ଦେଖି

ଅକାଳରେ ପ୍ରାଣ ଦେଲେ  ।।


ଶୁଣରେ ପିଲାଏ ଶୁଣ ଦେଇ ମନ

ଧର୍ମର ସ୍ଥାପନା ପାଇଁ 

ସ୍ବୟଂ ଭଗବାନ ଜନମ ନିଅନ୍ତି 

ପାପ ଯାଏ ଦୂର ହୋଇ ।।

 

ପାପୀ ଦୁରାଚାରୀ ବିନାଶ କରନ୍ତି 

ଧରମର ହୁଏ ଜୟ

ଯୁଗ ଯୁଗ ପାଇଁ ଯଶବାନା ଉଡେ

ଅଧର୍ମର ହୁଏ କ୍ଷୟ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍