ଜୀବନ
ଜୀବନ
ଜୀବନ
କେବେ ଗତିଶୀଳ ତ
ଆଉ କେବେ ପରିବର୍ତ୍ତନଶୀଳ
ସ୍ଥିର ନୁହେଁ
କେତେବେଳେ
ହୁଅଇ ଅସ୍ଥିର ।।
ସମସ୍ୟା ଆଉ ଦ୍ୱନ୍ଦ ଆସିଲେ କାନ୍ଦେ
ସମାଧାନ ମିଳିଗଲେ ଟିକେ ଟିକେ ହସେ
ସ୍ନେହ ପ୍ରେମ ବଳୟରେ କେବେ କେବେ ନାଚି ଉଠେ ।।
ଲୁଚକାଳି ଖେଳେ ପୁଣି ଛାଇ ଆଲୁଅରେ
କବଳିତ କେବେ ହୁଏ
ସମୟର ପ୍ରଳୟ ଚକ୍ରରେ ।।
ମାୟା ମରିଚିକା ଲାଗେ
ବେଳେ ବେଳେ
କେବେ ଜ୍ଞାନର ସଳିତା
ନିଃସଂଗ ମନରେ ଭରିଦିଏ କେବେ
ପୁଳା ପୁଳା ସହାୟତା
ବାଲିଘର ପରି ଭାଂଗିଯାଏ କେବେ ଲୁହର ଜୁଆର ମାଡରେ
ମିଛ ଅଭିନୟ କରୁକରୁ କେବେ
ଲିଭିଯାଏ ରଂଗମଂଚରେ ।।
କେବେ ଉତ୍ସାହ ଉଦ୍ଦୀପନାର
ଚକ୍ରବ୍ୟୁହରେ ପଶିଯାଏ ତ
ଆଉ କେବେ ନିରାଶାର
ମରୁବାଲିରେ ଚାଲିବାକୁ
ସକ୍ଷମ ହୋଇ ନ ଥାଏ ।।
କେବେ ମଉଳା ଫୁଲପରି ତ
ଆଉ କେବେ ମହକି ଉଠେ
ସଜଫୁଟା ଗୋଲାପ ପରି ।।
କେବେ ଭାଙ୍ଗିଦିଏ ତ କେବେ
ଗଢିଦିଏ
ସକାଳର କାକର ବିନ୍ଦୁ ପରି
କେବେ ଚମକି ଉଠେ ତ
ଆଉ କେବେ ଆଞ୍ଜୁଳାଏ ସ୍ୱପ୍ନକୁ
ଜାବୁଡି ଧରି ବାହୁନି ବାହୁନି
କାନ୍ଦିଉଠେ ।।
କେବେ ସଖୀ କଣ୍ଢେଇ ଟିଏ ତ
ଆଉ କେବେ
ନିଜକୁ ବୁଝିବା ଆଗରୁ
ସମୟସମୁଦ୍ରର ଅତଳ ଗର୍ଭରେ
ଲୀନ ହୋଇଯାଏ ।।
କେବେ ପ୍ରଶଂସାରେ ପୋତିହୋଇଯାଏ ତ
ଆଉ କେବେ ଲଜ୍ୱ। ଓ ଘୃଣାରେ
ନିଜର ଅସ୍ତି୍ତ୍ୱ ହରେଇଥାଏ ।।
ସୁଖ ଦୁଃଖ ପାଇଁ ଲୁହକୁ ସାଥୀ
କରୁ କରୁ
କେବେ ଶୋଷରେ ବି ପିଇବାକୁ ମିଳେନା ।।
