ଜୀବନ ରଥ
ଜୀବନ ରଥ
ସୁଖ ପରେ ଦୁଃଖ ,ଦୁଃଖ ପରେ ସୁଖ
ନିୟମ ଏ ଯେ ସଂସାରର
କିଏବା କରିବ ତାକୁ ମନା,
ପିଲାଛୁଆ ଭାଇବନ୍ଧୁ ସବୁ ମୋହମାୟା
ତୁମେ କି ସତେ ଅଜଣା !
ଧନ ଦୌଲତ ବାଇଆ କରଇ
ଅବାଟକୁ ସତେ ଠେଲି ଯେ ଦିଅଇ,
ମିଛ ବିଳାସରେ ଅନ୍ଧ ଆହ୍ଲାଦରେ ହଜି
ଭୋଗ କେତେ ଦୁଃଖ ଯନ୍ତ୍ରଣା ।
ଅଜଣା ଚାଉଳେ ଖାଉଥାଅ ଭାତ
ହେ ମୂର୍ଖ ମଣିଷ ,ତୁମେ ପରା ବୋଲାଅ ଜଗତେ ଶ୍ରେଷ୍ଠ,
କୀଟ ପ୍ରାୟ ଅନଳରେ ପଡ଼ି ହେଉଥାଅ ଛଟପଟ
ତଥାପି ହୁଅ ଆକର୍ଷିତ ଯିବା ପାଇଁ ମରଣର ପାଶ ।
ପାପ ପୁଣ୍ୟ ଏ ଦୁଇ ନିକିତିର ପଳା
କାଳିଆ ପାଶେ ହୁଏ କର୍ମ ତଉଲା,
ମିଛ ଅହଙ୍କାର ବଶ ହୋଇ ତୁମେ
ଅପର ପେଟରେ ମାରୁଛ ଲାତ ,
କଣ ବିକି ଖାଆ ମଣିଷତ୍ଵ !
ଛାଡ଼ିଦିଅ ଏଇ ମିଛ ସଂସାର ମାୟା
କର ଯତ୍ନ ସାଜିବାକୁ ସେହି କାୟା,
ଯେ ଫୁଟାଏ ଗରିବ ମୁଖରେ ହସ
ଯେ ଦେଖାଇ ପାରେ ଅନ୍ଧକୁ ଜଗତର ଦୃଶ୍ୟ!
କେହି ନୁହେଁ କା ଠାରୁ ଅଲଗା
ବୁଝ ଥରେ , ଏ ସବୁ ତାହାରି ଲୀଳା,
ମିଛ ମୋହ ମାୟା ଛାଡ଼ି ଥରେ ଧର ଭାବର ପଥ
କାଳିଆ ଟାଣିବ ତୁମ ଜୀବନ ରଥ ।