ଜୀବନ ଦୀପ
ଜୀବନ ଦୀପ
ତିମିର ନାଶିନୀ ଜ୍ଞାନ ପ୍ରଦାୟିନୀ
ମାତ ଅମାବାସ୍ୟାର ଦୀପ
ଦାରିଦ୍ର୍ୟ ଗଞ୍ଜିନୀ ପତିତପାବନୀ
ମାଆ ଗୋ ବାଞ୍ଛାନିଧି ବଟକଳ୍ପ !
ସତୀ ଶିରୋମଣୀ ଶଙ୍କର ଧର୍ମିଣୀ
ମାତ ଦୁର୍ଗତିନାଶିନୀ ଦୁର୍ଗା
କାଳରାତ୍ରୀ କାଳୀ ନିର୍ବଳର ବଳୀ
ମାଆ ଗୋ ଦଳନ କାରିଣୀ ଦୁର୍ବା !
ଅଭୟ ଦାୟିନୀ ଆର୍ତ୍ତ ସନ୍ତୋଷିନୀ
ମାତ ତ୍ରିଦେବ କରନ୍ତି ତୋ ପୂଜା
ସ୍ୱର୍ଗ ଦେବକୁଳ ମାନବ ସକଳ
ଉଡ଼ାନ୍ତି ତୋହରି ଧରମ ଧ୍ୱଜା !
ନାରୀ ନାରାୟଣୀ ଗିରିଜା ନନ୍ଦିନୀ
ମାଆ ଗୋ ଶକ୍ତିସ୍ୱରୂପିଣୀ ଦ୍ଧାତ୍ରୀ
ଅନ୍ନ ପ୍ରଦାୟିନୀ କ୍ଷୁଧା ନିବାରିଣୀ
ମାତ ପୃଥ୍ୱୀରାଣୀ ତୁ ଧରିତ୍ରୀ !
ସଙ୍କଟ ତାରିଣୀ କାର୍ତ୍ତିକ ଜନନୀ
ମାଆ ଗୋ ଶାନ୍ତିସ୍ୱରୂପିଣୀ ଶକ୍ତି
ପ୍ରାଣ ପ୍ରଦାୟିନୀ ଦାନଵ ଦଳିନୀ
ମାତ ମୁକ୍ତି ପ୍ରଦାୟିନୀ ଭକ୍ତି !
ସନ୍ତାନ ପାଳିନୀ ପ୍ରେମ ପ୍ରଭାସିନୀ
ମାଆ ଗୋ ପୂଣ୍ୟକର୍ମର ଦେଉ ଶିକ୍ଷା
ବ୍ରହ୍ମାଣୀ ରୁଦ୍ରାଣୀ ପାପିଷ୍ଠ ପାବନୀ
ମାତ ଗୁରୁ ରୂପେ ଦେଉ ଦୀକ୍ଷା !
ଜୀବନ ମରଣ ସକଳ କାରଣ
ମାଆ ଗୋ ସୃଷ୍ଟି ବିଲୟ ତୋ ହସ୍ତେ
ତୋ କୃପା ବଳେଣ ଲଭନ୍ତି ନିର୍ବାଣ
ମାତ ସୂର୍ଯ୍ୟଦୋୟ କରୁ ଅସ୍ତେ !
ମୁଁ ଛାର ଅଧମ କି ବର୍ଣ୍ଣିବି ନାମ
ମାଆ ଗୋ ଅକଳନା ତୋ ଗୁଣଗ୍ରାମ
ନହେବି ଅଶାନ୍ତି କରନା ବିଭ୍ରାନ୍ତି
ଦିଅ ଅଭୟ ଚରଣେ ବିରାମ !
ମୁଁ ପତିତ ନର କରେ ପାପାଚାର
ନଜାଣେ ପାପପୂଣ୍ୟର ଅନ୍ତର
ପ୍ରାର୍ଥନା ମୋ ଘେନ ପଥ ଦେଖାଇଣ
କର ସାର୍ଥକ ଏ ଜନମ ମୋର !
ମୋ ଜୀବନ ଦୀପ ହେଉ ନିର୍ବାପିତ
ଜଳୁ ଦୀନଜନ ସେବା ପାଇଁ
ରାଷ୍ଟ୍ର ସେବା ହେଉ ଧମନୀର ଲହୁ
ମାତ ସାଜ ମୋ ଜୀବନ ସାଇଁ !
ଅଜ୍ଞାନରୁ ମୁକ୍ତ ଅନ୍ଧାରୁ ଉନ୍ମୁକ୍ତ
ବିଞ୍ଚି ଜ୍ଞାନରଶ୍ମି ମୋ ହୃଦେ
ଶଠତା ବିନାଶି ଦିବ୍ୟତା ପ୍ରକାଶି
ମାତ ପ୍ରଦୀପ୍ତକର ତୋ ପାଦେ !
