ଜୀବନ ଚକ୍ର
ଜୀବନ ଚକ୍ର
ବାପା ଶହେ ପଚାଶ ଟଙ୍କାରେ କିଣିଥିଲେ
ଏକ ରୋଭର ସାଇକେଲ,
ଯେଉଁ ଦିନ ନେଇଆସିଲେ
ଆମଘରେ ଲୋକଙ୍କର ଖଚାଖଚ ଭିଡ଼
ମୁଁ ଆନନ୍ଦରେ ଫାଟିପଡୁଥିଲି ।
ବାପା ଯେତେବେଳେ ସ୍କୁଲରୁ ଫେରନ୍ତି
ଯେତେକାମ ଥାଉପଛେ
ମରା ନଡ଼ିଆ ତେଲରେ ସାଇକେଲକୁ ପୋଛନ୍ତି
ଧୂଳିମଳି ତ ଦୂରର କଥା
କେହି ହାତ ଲଗେଇ ଦେଲେ
ଚିହିଡି ଉଠନ୍ତି।
ମା'ଥରେ ରାଗିକରି କହିଲେ
ତୁମ ଦେହ ବଡ଼ ନା ସାଇକେଲ?
ବାପା ରୋକ୍-ଠୋକ୍ କହିଥିଲେ
ହଁ ,ସେ ପରା ମୋ ଜୀବନ ।
ତୁମେ କଣ ଜାଣିଛ?
ଶିକ୍ଷକ ଠାଣିରେ କହି ବସିଲେ
ଏଥିରେ ଯେଉଁ ଦୁଇ ଚକ
ଆମ ଜୀବନର ଦୁଇ ମାର୍ଗ
ପ୍ରେୟ ଓ ଶ୍ରେୟକୁ ବୁଝାଏ
ତିନିବାହୁ ତ୍ରିବିଧ ଋଣ
ଦେବ,ଋଷି ଓ ପିତୃଋଣ
ଚାରି ବ୍ରେକ୍-ରବର ଚାରିପୁରୁଷାର୍ଥ
ଧର୍ମ-ଅର୍ଥ-କାମ-ମୋକ୍ଷ ।
ଜାଣିଛ, ଏହା ସ୍ଵାଧୀନ ଭାବେ ବଞ୍ଚିବା ଶିଖାଏ
ଇଏ ବାସ୍ତବ ସ୍ଵପ୍ନର ପ୍ରତୀକ
ଧୀରେ ଚଲେଇବା, ବିପଦ ମୁକ୍ତ
ସମସ୍ୟାର ସମାଧାନ
ଦ୍ରୁତ ଚଲେଇବା,ଲକ୍ଷ୍ୟଠାରୁ ଦୂରେଇ ଯିବା ।
ଥଟ୍ଟାରେ ମାଆ କହିଦେଲେ
ଏଥିରେ ଦୁଇଟି ଡେଣା ଥିଲେ
ତୁମେ କଣ ନାହିଁ କଣ କରନ୍ତ!
ଆରେ ମୁଁ ମୁକ୍ତ ହୋଇ ଯାଆନ୍ତି
ଗତ ଓ ଭବିଷ୍ୟତକୁ ଯୋଡି ଦିଅନ୍ତି।
ଆଜିର ଲକ୍-ଡାଉନ୍ ସମୟରେ
ମୋତେ କାହିଁ ଲାଗୁଛି
ଅତ୍ୟାଧୁନିକ ଗାଡ଼ି-ମଟର
ବ୍ୟୋମଯାନ ଥିଲା ବେଳେ
ସାଇକେଲ ଭରସା,
ନା ତା ପାଇଁ ଦରକାର ପ୍ରମାଣ ପତ୍ର
ନା ଅଛି ଆକଟ।
ଏବେ ନୂତନ ଯୁଗରେ ପୁରାତନର ଆଦର
ବାପା କହୁଥିଲେ ଜୀବନ
ଏହା ମୋ ପାଇଁ
'ଜୀବନଚକ୍ର' ।
