ଜୀବନ (୪)
ଜୀବନ (୪)
ଅତସୀ କୁସୁମରେ ଘର ମହକୁଛି ବୋଲି
ନିଶୀଥ ବାତାୟନେ ସନ୍ଧ୍ୟାତାରା ଦିଶୁଛି ବୋଲି
ନିଆଁଝୁଲଟାରେ ଘର ଜଳିଯାଉଛି ବୋଲି
ଜୀବନଟା ଅଛି :
ପ୍ରଶାସନରେ ବଞ୍ଚକତା ଭରି ରହିଛି ବୋଲି
କର୍ମସଂସ୍କୃତି ଅବକ୍ଷୟମୁଖୀ ହେଉଛି ବୋଲି
ଆଭିମୁଖ୍ୟ ଓ ଦୃଷ୍ଟିରଙ୍ଗୀ ନକାରାତ୍ମକ ହୋଇଛି ବୋଲି
ଜୀବନଟା ଅଛି :
ଲୁଲୁ ପାଇଁ ନାନା ବାୟାଗୀତ ଲେଖା ହେଉଛି ବୋଲି
ଅନ୍ଧାରୁଆ ଜଣକ ଘରମୁହାଁ ହେଲାଣି ବୋଲି
ସମ୍ଭାବନାର ନୂତନ ସୂର୍ଯ୍ୟୋଦୟ ଦେଖାଯାଉ ବୋଲି
ଜୀବନଟା ଅଛି:
ସଦ୍ୟ ଶରତର ଶିଶିର ବିନ୍ଦୁରେ ପାର୍ବଣ ଆସିଛି ବୋଲି
ନବୀନ ଉତ୍ସାହ ଓ ଉଦ୍ଦୀପନାରେ ଧରା ମହକି ଯାଉଛି ବୋଲି
ମାଆଙ୍କ ଆଗମନରେ ଧରିତ୍ରୀ ପୃଷ୍ଠ ଉଲ୍ଲସିତ ହେଉଛି ବୋଲି
ଜୀବନଟା ଅଛି:
ନିର୍ବାଚନୀ ଉଷ୍ଣତାରେ ବାତାବରଣ
ଭରି ଯାଉଛି ବୋଲି
ଆରୋପ ପ୍ରତ୍ୟାରୋପର ପଶାପାଲିରେ ରାଜନୀତି
ଖୋଲାହେଉଛି ବୋଲି
ମଣିଷ ପରିଚୟର ପ୍ରାସଙ୍ଗିକତା ଭୁଲି ଯାଉଛି ବୋଲି
ଜୀବନଟା ଅଛି:
ଭୋକର ସହରରେ ଭୋଟ୍ ଲଡୁ ବଣ୍ଟାଯାଉଛି ବୋଲି
ରାସ୍ତାର ଗାଡିରୁ କୋଟି କୋଟି ଟଙ୍କା ଉଦ୍ଧାର ହେଉଛି ବୋଲି
ରୌଦ୍ରତପ୍ତ ଧରାପୃଷ୍ଠରେ ଖଟିଖିଆ ସର୍ବହରା ଉପାସରେ ରହୁଛି ବୋଲି
ଜୀବନଟା ଅଛି :
ଅବମୂଲ୍ୟାୟିତ ନୈତିକ
ମୂଲ୍ୟବୋଧରେ ସମାଜ ନିରବଦ୍ରଷ୍ଟା ସାଜିଛି ବୋଲି
କ୍ରମବର୍ଦ୍ଧିଷ୍ଣୁ ମୂଲ୍ୟବୃଦ୍ଧିରେ ଜନଜୀବନ ବିପର୍ଯ୍ୟସ୍ତ ହେଉଛି ବୋଲି
ଅନ୍ତିମ ମୃତ୍ୟୁର ଆକାରେ ବୃଦ୍ଧ ଜରଦଗବ ତ୍ରସ୍ତ ହେଉଛି ବୋଲି
ଜୀବନଟା ଅଛି:
