ଝର୍କା ଏପାଖ ସେପାଖ
ଝର୍କା ଏପାଖ ସେପାଖ
ଆଜି ଝର୍କା ଏପାଖ ମୁଁ
ସେପାଖ,ମନ୍ଥର ମୋ ମନ ପାଦ ଗତି
ଧୁଆଁଳିଆ ସ୍ୱପ୍ନର ଉଡାଣ
ସବୁ ରାସ୍ତା ଶେଷ
ମୃତ୍ୟୁ ଦ୍ଵାରଦେଶେ
ନିଃସଙ୍ଗତା କୁହୁଡି ଚାଦର
ବେଢିଲାଣି ଗଛ ପତ୍ର ସାରା ପୃଥିବୀ ଶରୀର..!!
ଅଚାନକ
ଶୁଭୁଚି କା' ପାଉଁଜି ରୁଣୁଝୁଣୁ ଶବ୍ଦ
ଦୃଶ୍ୟମାନ
ଦୂର ତାଳବଣ, କିଆ ଗହୀରି, ବିଲମାଳ
କାଶତଣ୍ଡୀ ନଈପଠା, ଝାଉଁବଣ
ଠେକୁଆ ଭଳି ଡେଇଁ ଡେଇଁ ଲୁଚିଗଲା
ଭଙ୍ଗା ଚାଳଘରେ ଆକାଶର ଜହ୍ନ..!!
ଓଢ଼ଣା ତଳେ ଚକମକ୍ ବିଜୁଳି ଗର୍ଜନ
ଚିରିଦିଏ ଛାତି
ମେଘୁଆ ଆଖି ଆବେଗ ଆହ୍ୱାନ
ଆଃ ସାରା ରାତି ବର୍ଷାର ଦହନ
କେତେକାଳୁ ଭିଜିନଥିଲା ହୃଦ ମରୁଭୂଇଁ
ଫଟା ମାଟି ଓଠ
ଗଜୁରି ଉଠୁଛି ଦେଖ ଆଶାର କିରଣ..!!
ଆଶା ଜଙ୍ଗଲର ନିଆଁ
ନିଆଁ ଚେଙ୍କ ଭୟ
କିନ୍ତୁ ଫେରୁନି ମୋ ପାଦ
ଓଦା ମାଟି, ନଈବାଲି, ଘାସ ଫୁଲ, ଇନ୍ଦ୍ରଧନୁ
ପ୍ରଜାପତି ମୋହ
ଛାଡିଆସିଥିବା ପାଦ ଚିହ୍ନ ସବୁ ଚଲାପଥ
ଆକାଶରୁ ଦିଶେ ଆଜି
ତାରା ଭଳି ଛୋଟ..!!
ପରଖି ପାରେନା ଲୁହ
ବୋଧହୁଏ
ଏ ଦୁଇ ଆଖି ଏବେ ଜମା ମୋର ନୁହଁ..!!
କେହି ଜଣେ ଆସେ ଯାଏ ଯା' ଆସ ନିରନ୍ତର
ଝାପ୍ସା ଛାଇଟିଏ ଭଳି
ଆଲୋକ ପ୍ରହରେ
ଡେଣା କାଟି ଫିଙ୍ଗୁଥାଏ ଯିଏ ମୋତେ
ଚାରି କାନ୍ଥ ଅନ୍ଧାର ଭିତରେ..!!
ସେ ଜାଣେନା
ଅନ୍ଧାର ଛାତିରେ ମୋ ସ୍ପନ୍ଦନ
ହେଇପାରେ
ଅନ୍ଧାର ବାହାରେ ସପନ
କିନ୍ତୁ
ଆଲୋକ ଚିରକାଳ ହତ୍ୟାକାରୀ
ସେ କଣ ପ୍ରେମିକପଣରେ ଭୋଗିପାରେ
ଝର୍କା ଏପାଖ ଜୀବନ
ଝର୍କା ଏପାଖରୁ ସେ ପାଖ ସପନ..!?
