ଜହ୍ନ
ଜହ୍ନ
ତୁମ ସହରର ଜହ୍ନ
ମୋ ଗାଁର ଜହ୍ନ ଭିତରେ ପ୍ରଭେଦ କ'ଣ
ତୁମ ସହରୀ ଜହ୍ନ ମୋ ଛାତିରେ ଦିନ ରାତି ଭାସେ
ମୋ ଗାଁ ଜହ୍ନଟା ରାତିହେଲେ ଫୁଟେ
ମୋ ପେଜୁଆ ଆଖିରେ ବେଳେ ବେଳେ ମଳିଚିଆ ଦିଶେ ।।
ତୁମ ସହରର ଜହ୍ନଟା
ହୃଦୟ ଆରିସି ପଛପଟେ
ଅତୀତ ସବୁକୁ ଉଖୁରାଏ
ତାର ଲମ୍ବା ରଙ୍ଗଲଗା ନଖରେ
ମୋ ଗାଁ ଜହ୍ନ
ପୁରୁଣା ସ୍ମୃତିର ତଣ୍ଟି ଚିପେ
ନୂଆ ନୂଆ କବିତା ଲେଖେ
ପୁଣି, ମତୁଆଲା ହୋଇ ସ୍ୱପ୍ନ ଦେଖେ ।।
ତୁମ ସହରର ଜହ୍ନଟା
ସହଜରେ ଫାଙ୍କି ଦେଇ ପାରେ
ତା' ଗାଲରେ ଥିବା ଶୀତଳ ଯୁଦ୍ଧର ଚିହ୍ନ ସବୁକୁ
ଧଳା ପାଉଡର ଲଗେଇ
ମୋ ଗାଁ ଜହ୍ନ ହୁଣ୍ଡିଟା
ଠକେଇ ଆସେନା ବୋଲି ସକେଇ କାନ୍ଦେ
ତା' ଗାଲରେ କଳାଜାଇ ଅଛି ବୋଲି
ଦୁନିଆ ତା'କୁ ନିନ୍ଦେ ।।
ତୁମ ସହରର ଜହ୍ନଟା
ବୋଧହୁଏ ଘର ତୋଳି ସାରିଛି
ଅନେକ ଆକାଶର ଛାତିରେ
ମାର୍ବଲ ତିଆରି ଗଗନଚୁମ୍ବି ଅଟ୍ଟାଳିକାରେ
ଅବା କୋଉଁ ଧନୀର ସୌଖିନ ପୋଷାକରେ
ବିଚାରି ମୋ ଗାଁ ଜହ୍ନ
ସ୍ୱପ୍ନର ବିଭୋର ପଣରେ
ଆଜିବି ଭାସୁଛି ପଙ୍କିଳ ପୋଖରୀରେ ।।
ରାଜେନ୍ଦ୍ର ଗିରି
ଭୋଗରାଇ, ବାଲେଶ୍ୱର
୭୮୭୩୫୭୦୯୩୮
