ଜହ୍ନ
ଜହ୍ନ
ସୁଦୂର ଆକାଶେ ଶୁଭ୍ର କନ୍ଦୁକର ପ୍ରାୟେ
ଜ୍ୟୋସ୍ନା ବୋଳା ରୂପ ନେଇ ଜନ ମନ ମୋହେ ।
ସୃଷ୍ଟି ସଂରଚନା ବେଳେ କେତେ ଯୁଗ ଧରି
ବିଧି ଗଢେ ଏ ରୂପକୁ ତାପ ନାଶ କରି ।
ସୁଶୀତଳ ପିଣ୍ଡ ଧରି ଗଗନ ବୁକୁରେ
ଘୁରି ବୁଲେ ଆନନ୍ଦରେ ଆପଣା ରାଜ୍ୟରେ
ପୃଥିବୀର ଚତୃପାଶେ କରେ ଯେ ଭ୍ରମଣ
ପଥେ ବାଧା ଦେଇ ରାହୁ ଲଗାଏ ଗହଣ ।
କିଛି କ୍ଷଣ ନିରବରେ ପୁଣି ଆସେ ଗର୍ବେ
ଯେହ୍ନେ ନିଶି ଅନ୍ତେ ପ୍ରାତଃ ଖେଳେ ଜନ ରବେ ।
ଚନ୍ଦ୍ରମଣ୍ଡଳର ମଧ୍ୟେ ଯେବେ ପାଏ ସ୍ଥାନ
ଉପମା ଦେବାକୁ କବି ହୁଏ ଛନ୍ନ ଛନ୍ନ ।
ଶରତ ବେଳାରେ ଶୋଭା ଦୁଗୁଣିତ ହୋଇ
ପ୍ରକୃତି ରାଣୀର ମନ ପାଶେ ଟାଣୁ ଥାଇ ।
ବିଜନତା କୋଳେ ଯେବେ ଆସେ ଶୀତକର
ମିଳନ ବ୍ୟଗ୍ର ବଢଇ ପ୍ରେମି ଯୁଗଳର ।
ଶଶା ଭ୍ରମିତ ହୁଅଇ ଦେଖିଣ ଶଶାଙ୍କ
ତୃଷା ମେଣ୍ଟେ ନାହିଁ ଗଳେ ପିନ୍ଧେ ମୃତ୍ୟୁ ଡଙ୍କ ।
ଦୂର ରାଇଜରେ ରହି ଟାଣି ନିଏ ମନ
ସର କୋଳେ କୁମୁଦିନୀ ଗଣେ ରାତି ଦିନ।
ପ୍ରାଣର ବାନ୍ଧବ ଚନ୍ଦ୍ର ପ୍ରେୟସୀ ଯେ କଇଁ
ନିଶି ଦିବସ ବିତଇ ବିହାୟସ ଚାହିଁ ।
କଇଳାସ ପତି ଶିରେ ହୋଇ ବିମଣ୍ଡିତ
ଜାହ୍ନବୀ ସଙ୍ଗତେ ଦେଖି ଲିଭି ଯାଏ କ୍ଲାନ୍ତ ।
ଶାପଗ୍ରସ୍ତେ କଳଙ୍କିତ ସ୍ଵରୂପକୁ ଧରି
ଆନନ୍ଦ ଉଲ୍ଲାସ ବାଣ୍ଟି ମନ କରେ ଚୋରି ।
ସେହି ଆବେଗରେ ପଡ଼ି କୁମାରୀ ମନରେ
ଆଶ୍ଵିନ ପୂର୍ଣ୍ଣିମା ଆଶେ କୁମାର ଆଶାରେ ।
ସୁନ୍ଦର ସୁଢଳ ଗ୍ରହ ଚନ୍ଦ୍ର ଯା' ର ନାମ
ପରିଚାଳନା କରାଏ ଯେହ୍ନେ ରାଜା ସମ ।
ଯୁଗ ପରେ କେତେ ଯୁଗ ବିତି ଗଲା ଆସି
ଆକାଶ ଭୂଷଣ ଇନ୍ଦୁ ପ୍ରାଣେ ଦିଏ ଖୁସି ।
