ଜହ୍ନ
ଜହ୍ନ
ଜହ୍ନ ହେ ତୁମେ ସଞ୍ଜୁଆ ଆକାଶ
ମରକତ ମଣି ହୀରା
ଝଲସି ଉଠୁଛ ରୂପେଲୀ ରଙ୍ଗେ
ଶୀତଳ ଜୋଛନା ଧାରା ।।
ଶୁକ୍ଳପକ୍ଷେ ଶୁଭ୍ର କୈ।ମୁଦୀ ପ୍ରବାହେ
ଆଲୋକିତ କର ଧରା
ଅନ୍ଧାର ଆକାଶେ ତାରକା ଗହଳେ
ରୂପ ସତେ କେତେ ତୋରା ।।
ରୋହିଣୀ ମାନସ ହଂସ ନକ୍ଷତ୍ରେଶ
କୁମୁଦ ବାନ୍ଧବ ବିଧୂ
କ୍ଷୀରାର୍ଣ୍ଣବ ସମୁଦ୍ଭବ ଶମ୍ଭୁଶୀର
ମୁକୁଟ ମଣ୍ଡିତ ଇନ୍ଦୁ ।।
ଦଧି,ଶଂଖ ଆଉ ତୁଷାର ବରଣ
କ୍ଷୀରାବ୍-ଧି ତନୟ ସୋମ
କ୍ଷୀ୍ରିବ୍-ଧି ତନୟା ଭ୍ରାତ ତ୍ରି-ଜଗତ
ଶୋଭାରେ ମୋହିଛ ମନ ।।
ସୁଧାମୟ ମୂର୍ତ୍ତି ସୁଧାମୟ ଜ୍ୟୋତି
ବନ୍ଦେ ଦଶାଶ୍ଵବାହନ
କୁମୁଦିନୀ ବନ୍ଧୁ ନିଶାନାଥ ଇନ୍ଦୁ
ରୋହିଣୀ ବଲ୍ଲଭ ଜହ୍ନ ।।
କୁଆଁର ପୁନେଇଁ ଜହ୍ନ ୟେ କୁଆଁରୀ
ମନକୁ କରେ ଉତ୍ତଳା
ରୂପା ରୋଷଣୀରେ ଗୁଣୁ ଗୁଣୁ ଗାଏ
କିଶୋରୀ ମନ ଭ୍ରମରା ।।
ନିର୍ମଳ ଆକାଶେ ନିର୍ମଳ ଚନ୍ଦ୍ରମା
ନବବଧୂ ନବ ଛଇଳା
ଶରତ ରାତିର ଶରଦେନ୍ଦୁ ଶୋଭା
ପ୍ରେମୀକୁ କରେ ବାଉଳା ।।
ଅନନ୍ତ ସୌନ୍ଦର୍ଯ୍ୟ ସୁଷମା ଉପମା
ତୁମେ ପରା ସେ ପ୍ରତୀକ
ସୌନ୍ଦର୍ଯ୍ୟ ଉପମା କାହିଁ ତୁମ ବିନା
ଉପମା ମାଳା ପଦକ ।।
ତୁମ ରୂପ ଜଳ ଦେଖି ଶଶା ତୃଷ୍ଣା
ଆତୁରେ ହାରିଲା ପ୍ରାଣ
ସେ ଦୋଷେ ଅଙ୍ଗେ ବହିଛ ଶଶାଙ୍କ
ରୂପର କଳଙ୍କ ଚିହ୍ନ ।।
ପୁନେଇଁ ଜହ୍ନ ଅନନ୍ତ ଭୂବନ
ସୈ।ନ୍ଦର୍ଯ୍ୟ ଉପମା ଖଣି
ବନ୍ଦେ ଜଗତ୍ ଗୁରୁ ଗ୍ରହଶ୍ରେଷ୍ଠ ଚନ୍ଦ୍ର
ଦ୍ଵିଜରାଜ ପ୍ରଣମାମି ।।
