STORYMIRROR

JITENDRA KUMAR KONHAR

Others

3  

JITENDRA KUMAR KONHAR

Others

ଝାପ୍ସା ଅତୀତ

ଝାପ୍ସା ଅତୀତ

2 mins
114

ତୋ ଠୁ ଏବେ ତ

ଅନେକ ଦୂରରେ ମୁଁ

ସେ ସମୟର ଦୂରତ୍ୱ ବି ଢେର ଅଧିକ

ଯେଉଁ ସମୟର କାନ୍ଥରେ ତୁମ ଆଉ ମୋ ଚିତ୍ର ଚିତ୍ରିତ

ତଥାପି ଆଖି ଆଗେ 

ଜୁଆର ପରି ଭାସି ଆସେ କାହିଁ ସେ ଝାପ୍ସା ଝାପ୍ସା ଅତୀତ।


ଭୁଲି ବି ଅଭୁଲା ଅନେକ କିଛି

ଅଜାଣତେ ସାଇତା ଅନେକ ସ୍ମୃତି

ନ ଚାହିଁଲେ ବି ମନେ ପଡେ

କାରଣ ବୋଧହୁଏ ସେ ସମ୍ପର୍କ ଭାଙ୍ଗିନି

ଭାଙ୍ଗି ବି ଯୋଡ଼ି ହୋଇ ରହିଛି 

ହୃଦୟର କେଉଁ ଏକ ଶୁନଶାନ୍ ନିବୃତ କୋଣରେ।


କାହାର ଏ କ୍ରନ୍ଦନର ସ୍ୱର

ଭାରି ଚିହ୍ନା ଚିହ୍ନା ଭାରି ଆପଣାର

ଅହରହ ପ୍ରତିଧ୍ବନିତ ହୁଏ କର୍ଣ୍ଣେ

ଜାଣି ବି ନ ଜାଣିବାର ଅଭିନୟ କରି ଚାଲେ କାରଣ

ସେ କ୍ରନ୍ଦନର ସ୍ୱର ଆଉ କାହାର ନୁହେଁ ନିଜ ଅବୁଝା ମନର।


ଆଖି ସାମ୍ନାରେ ଯେ ଦେଖିଛି

ତାସର ଘର ପରି ଉଜୁଡ଼ି ପଡୁଥିବା ଆମ ସମ୍ପର୍କକୁ

ସାଇତିବାକୁ ଅନେକ ଚେଷ୍ଟା କରି ବି ପାରିନି

ଲୁହ କୁ ଲହୁ କରି ସ୍ୱାଭିମାନକୁ ବଳି ଦେଇ

ତୋରି ପାଖରେ ଆକୁଳ ଅନୁରୋଧ ସବୁ ପାଣିର ଗାର ସାଜିଛି।


ସତେ ଫୁଲ ବି 

କଣ୍ଟାର ରୂପ ନେଇ ପାରେ

ଭଲ ପାଇବା ବି ଘୃଣାରେ ପରିଣତ ହୋଇପାରେ

ହଁ କାରଣ ନିଜେ ମୁଁ ଅସହାୟ ମୂକସାକ୍ଷୀ ତା'ର

ନିଜ ହାତରେ ଗଢିଥିବା ଅନେକ ବାଲିଘର 

ଢେଉ ରେ ମିଶିବା ପରି ତୋ ମୋ ସମ୍ପର୍କ ଆଜି ନିରୁଦ୍ଦିଷ୍ଟ ପ୍ରାୟ।


ଭୁଲିବାର ଚେଷ୍ଟାବି

ସମୟର ସ୍ରୋତରେ ବାରମ୍ବାର କରିଛି

ହଁ ଆଗ ପରି ଏ ଆଖି ଆଉ ଗୁମୁରି କାନ୍ଦୁନି

କିନ୍ତୁ ତଥାପି ଏ ହୃଦୟ ତତେ ଭୁଲିବି ପାରୁନି

ନା ଅତୀତକୁ ଛାଡି ପାରୁଛି ନା ଆଗକୁ ବଢି ପାରୁଛି

ସେଇ ଝାପ୍ସା ଝାପ୍ସା ଅତୀତରେ ବେଳେ ବେଳେ ବଞ୍ଚିବାକୁ ପଡୁଛି।


ମନେ ପଡ଼େ ଅନେକ କିଛି

ଛାତି ତଳେ କବରିତ ସାଇତା ସ୍ମୃତି

ହେଲେ ଯେଉଁ ସ୍ମୃତି ଯେଉଁ କଥା ଦିନେ ଖୁସିର କାରଣ ଥିଲା

ଆଜି କେବଳ ଲୁହ କଷ୍ଟ କୋହରେ ବନ୍ଦୀ..

ସ୍ମୃତିପଟ କୁ ଆସେ କିନ୍ତୁ ଏକୁଟିଆ ଆସେନି

ହସ ବଦଳରେ ଲୁହ ଖୁସି ବଦଳରେ କୋହ ନେଇ ଆସେ।


ଆଜି ଅନେକ ବର୍ଷ ପରେ

ଝାପ୍ସା ଝାପ୍ସା ଅତୀତରେ ପୁଣି ଜୀବନ୍ତ ତୁମେ

ବିବେକର ବିରୋଧ ପରେ ବି ଖିନ ଭିନ ହୋଇ

ଏଣେ ତେଣେ ପଡ଼ିଥିବା ସ୍ମୃତି ସବୁକୁ ସାଉଁଟିବାକୁ

ବୃଥା ଚେଷ୍ଟା କରି କେବଳ ସାଉଁଟେ କିଛି କଷ୍ଟ କିଛି ଯନ୍ତ୍ରଣାକୁ।


ଭାଗିଦାର କରି ପାରେନି

କଷ୍ଟକୁ ଆଉ କାହା ସହ କାରଣ

ସେଇ ହସରେ ବି ତୁମେ ଥିଲ 

ଆଉ ଆଜି ଏଇ କଷ୍ଟରେ ବି ତୁମେ

ବାସ୍ ଉତାରିବାକୁ ଚେଷ୍ଟା କରେ 

କଲମରୁ କବିତାକୁ ଭାବନାରୁ ଗଳ୍ପ କୁ

ଯନ୍ତ୍ରଣାକୁ ଟିକିଏ ବିଶ୍ରାମ ଦେବାକୁ...।


କେବେ ପାରେ କେବେ ତ ପାରେନା

ବେଳେ ବେଳେ ହାତ କ’ଣ ନିଃଶ୍ୱାସ ଅଟକିଲା ପରି ମନେ ହୁଏ

ତଥାପି ଖୋଜିବାକୁ ଚେଷ୍ଟା କରେ ଯନ୍ତ୍ରଣାର ଜୁଇ ଭିତରେ

କୁନି ହସଟିକୁ ନୂଆ ଜୀବନଟିକୁ

ହାରିବାର ଠିକଣା ରେ ଜିତିବାର ଖୋଜିବାକୁ...।


ବିତି ଯା’ନ୍ତା କି ଅନେକ ବର୍ଷ କ୍ଷଣକରେ

ଝାପ୍ସା ଅତୀତ ବି ବିସ୍ମୃତିର ରୂପ ନିଅନ୍ତା

ନା ମନେ ପଡ଼ିବାକୁ କିଛି ଥାନ୍ତା 

ନା କେବେ ଅତୀତ କୁ ସାଉଁଟିବାକୁ ପୁଣି ପଡ଼ନ୍ତା

ହେଲେ ବିଡ଼ମ୍ବନା ବୋଧହୁଏ 

ଜଳିବାକୁ ଅଛି ପ୍ରତି ମୁହୂର୍ତ୍ତରେ ସେଇ 

ଝାପ୍ସା ଝାପ୍ସା ଅତୀତରେ....ଝାପ୍ସା ଝାପ୍ସା ଅତୀତରେ।



Rate this content
Log in