STORYMIRROR

ବିନୟ ମହାପାତ୍ର

Others

3  

ବିନୟ ମହାପାତ୍ର

Others

ଜଗତ୍ ସତ୍ୟ

ଜଗତ୍ ସତ୍ୟ

1 min
288

ଧୂଳି ଧୂସରିତ ଏଇ କଙ୍କରିତ ପଥ,

ରଙ୍କ ନୁହେଁ ମୁଁ,

ଖୋଜିନାହିଁ ଅଙ୍କପଲଙ୍କ ଦିନେ

ଲୋଡିନାହିଁ ତୁଳିତଳ୍ପ ଶେଜ ଅବା

ରାଜକୀୟ ଐଶ୍ୱର୍ଯ୍ୟର ଲୋଭି ନୁହେଁ ଚିତ୍ତ।

ଜୀବନର ଏଇ ମୋର ଅଙ୍କାବଙ୍କା ପଥେ

ରଥକୁ ମୋ ବାହିଚାଲେ,

ଖୋଜିବୁଲେ ଜନପଦେ

ଅରଣ୍ୟ କାନ୍ତାରେ

କାଳେ ମିଳିଯିବେ ମୋତେ ବୋଧିସତ୍ୱ

ଅବା ଇପ୍ସିତ ବୋଧିଦୃମ

ଏଇ ମୋର ଜୀବନରେ ପଥେ ।


ନିର୍ବାଣର କାମନା ନାହିଁ ମନେ ମୋର

ଇଚ୍ଛାନାହିଁ ବୁଦ୍ଧତ୍ୱ ପ୍ରାପ୍ତିର ।

ଖୋଜେନାହିଁ, ବ୍ରହ୍ମ ପରଂବ୍ରହ୍ମ ତତ୍ୱ

ନା’ ଚାହିଁଅଛି କେବେ

ଦର୍ଶନର ଗୁଢ ଗୁଢତର ତର୍କ,

‘ବ୍ରହ୍ମ ସତ୍ୟ ଜଗତ୍ ମିଥ୍ୟା’

ଶୁଣେ ଖାଲି, ବୁଝେନାହିଁ

ବୁଝିବାକୁ ଚେଷ୍ଟା କରିନାହିଁ କେବେ ।

କିପରି ନକାରି ଯିବି

ଜଳଜଳ ଆଖି ଖୋଲି

ଚଉଦିଗେ ଦେଖୁଅଛି ଯାହା ।

ଶୁଣେ ଯେଉଁ ଆର୍ତ୍ତନାଦ ବ୍ୟାକୁଳକ୍ରନ୍ଦନ,

ଦିନ ଦିପହରେ ଲୁଣ୍ଠିତା ଅବଳାର ସ୍ୱର,

ଅନ୍ନବିହୁନେ କ୍ଷୁଧାର୍ତ୍ତ କ୍ରନ୍ଦନ ଶିଶୁର,

ଲୋଭ, ହିଂସା ଧର୍ମାନ୍ଧତା ପ୍ରାଣ କରେ ସ୍ୱାହା ।


ଖୋଜୁଛି ସେ ଜ୍ଞାନ,

ଖୋଜୁଚି ସେ ପ୍ରଭୂକୁ

ମୁକ୍ତି ପାଇଁ ନୁହେଁ, ଶକ୍ତିଟିକେ ଲୋଡେ

ଯିଏ ଭରିଦେବ ପ୍ରତିଟି ଶିଶୁର ମୁହଁରେ

ତୃପ୍ତିର ହସଧାର ଟିକେ,

ରୋପିଯିବ ପ୍ରତିଟି ନାରୀ ହୃଦୟରେ

ସ୍ୱାଭିମାନ, ନିର୍ଭୟର ବିଜ,

ପ୍ରତିଟି ଯୁବା ହାତକୁ ଯଥୋଚିତ କର୍ମ

ପ୍ରତିଟି ଭୋକିଲା ପେଟକୁ ପେଟଭରା ଅନ୍ନ ।

ହୋଇପାରେ ବ୍ରହ୍ମ ସତ୍ୟ,

ଜଗତ କିନ୍ତୁ ମିଥ୍ୟାନୁହେଁ,

ମିଥ୍ୟାନୁହେଁ ଜଠରାଗ୍ନି,

ଯେବେ ତିଳତିଳ ଜାଳିଦିଏ,

ଜୀବନ୍ତ ମଣିଷ ଶରୀର ଆଉ,

ଭୋକିଲା ମଣିଷର କର୍ମକୁ

ଅପକର୍ମ, ପାପକର୍ମ ରୂପ ଦେଇଯାଏ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍