ଜଗନ୍ନାଥଙ୍କୁ ଖୋଲା ଚିଠି
ଜଗନ୍ନାଥଙ୍କୁ ଖୋଲା ଚିଠି
ତୁମକୁ ଲେଖିଛି ଖୋଲା ଚିଠି ଆହେ
ଲୀଳାମୟ ମାୟାଧର
ଏ ମାୟା ସଂସାର ଏବେ ଟଳମଳ
ବିଶ୍ୱ ହୁଏ ଛାରଖାର ।
ଖେଳର ନିୟମ ହେଲା ବ୍ୟତିକ୍ରମ
କିବା ତୁମ୍ଭ ସଂସାର ରେ
ଅନର୍ଥ ଘଟୁଛି ମାନବ ଜାତିରେ
ସଂକ୍ରମଣ ବ୍ୟାପିଚାଲେ ।
ଦ୍ୱାର ମୁଦ କରି ବଡ଼ ଦେଉଳରେ
ଲୁଚି ରହିଲେ କି ହେବ
ବିଶ୍ୱ ବକ୍ଷ ଯଦି ନିଃସ୍ଵ ହୋଇଯାଏ
କେଉଁ ଯଶ ତୁମେ ପାଇବ ।
ବଡ଼ ବଡ଼ ଆଖି ପଲକ ବିହୀନ
ନିଦେ କି ପାରିବ ଶୋଇ
ସନ୍ତାନ ତୁମର ଛଟପଟ ହୋଇ
ଡାକୁଥିବ ତ୍ରାହି ତ୍ରାହି ।
ରତ୍ନ ବେଦୀ ପରେ ଅଧା ଗଢ଼ା ରୂପେ
ଅସହାୟ ତୁମ ରୂପ
ଭାବୁଛ କି ଆମେ ଭଳିଯିବୁ ଦେଖି
ହୃଦୟେ ଭରି ସନ୍ତାପ ।
ମାୟା ତେଜ ଶୀଘ୍ର ବଇରୀ ଗଞ୍ଜନ
ବିପଦ ନାଶିବା ପାଇଁ
ଓହ୍ଲାଇ ଆସ ହେ ରତନ ବେଦୀରୁ
ଦିବ୍ୟ ହସ୍ତେ ଦିଅ ଛୁଇଁ ।
ଚିଠିରେ ଭରିଛି ବିଶ୍ୱ ଜନ ଦୁଃଖ
ବିନ୍ଦୁ ବିନ୍ଦୁ ଲୋତକରେ
ବିଶ୍ୱବାସୀଙ୍କର ଅରକ୍ଷଣ ବେଳେ
ଅଛ କାହିଁ ଗୁପତରେ ।
ସଂସାର ରହିଲେ ସିନା ମହାବାହୁ
ଶୁଣୁଥିବ ଜୟକାର
ସଂସାର ତୋହର ତୁହି ସଂସାରର
ନିଜକୁ ତୁ ରକ୍ଷା କର ।
ପାଇ ମୋର ଚିଠି ଆସ୍ଥାନୁ ଝଟତି
ଉଠି ଆସ ଲୀଳାମୟ
ପ୍ରାଣୀର କଲ୍ୟାଣ ରକ୍ଷଣ କାରଣେ
ବିଶ୍ବାସର ହେଉ ଜୟ ।
