STORYMIRROR

Bijay Prusty

Others

3  

Bijay Prusty

Others

ଈଶ୍ୱର ସନ୍ଧାନ

ଈଶ୍ୱର ସନ୍ଧାନ

1 min
172


ଈଶ୍ୱର ଈଶ୍ୱର ଖୋଜିଲି ଅନେକ

କେଉଁଠି ପାଇଲି ନାହିଁ

ଦୁଃଖୀ ଦରିଦ୍ରଙ୍କ ମେଳରେ ଅଛନ୍ତି

କହୁଥିଲେ କେହି କେହି I


ସବୁ ଐଶ୍ୱର୍ଯ୍ୟର ଅଧିଶ୍ୱର ଯିଏ

କାହିଁକି ରହିବେ ସେଠି

ସେ ଯଦି ଚାହିଁବେ ଗୋଟିଏ ମୂହୂର୍ତ୍ତେ

ସର୍ବେ ହେବେ କୋଟିପତି I


ସୁରମ୍ୟ ମନ୍ଦିର ଈଶ୍ୱରଙ୍କ ଘର

କହିଲେ ପୂଜକ ଜଣେ

ଧନର ମୋହରେ ସବୁଦିନ ଯିଏ

ହାତପାତେ ଏଣେ ତେଣେ I


ଈଶ୍ୱରଙ୍କ ସେବା କରେ ଯେଉଁ ଜନ

ତାର କି ଅଭାବ ହେବ

ସୁଦୟା ଦୃଷ୍ଟିରେ ଚାହିଁଦେଲେ ପ୍ରଭୂ

ସବୁ ସୁଖ ମିଳିଯିବ I


ଭକ୍ତଟିଏ ବୋଲି ଦେଖାଇ ହେବାକୁ

ଯେ ଜନ ମନ୍ଦିର ଯାଏ

ଭିକାରିଟେ ସିଏ ଯୋଡହସ୍ତ ହୋଇ

କେତେକଥା ମାଗୁଥାଏ I


ଈଶ୍ୱରଙ୍କ କଥା ସଭିଏଁ କୁହନ୍ତି

ଦେଖିନି ତାଙ୍କୁ କେ ଜଣେ

ଠିକଣା ତାଙ୍କର ପାଇ ପାରିଲିନି

ସନ୍ଦେହ ଆସିଲା ମନେ I


ଈଶ୍ୱରଙ୍କ ସ୍ଥିତି ତାଙ୍କ ଅବସ୍ଥିତି

ତାଙ୍କରି ନାମକୁ ନେଇ

ମଣିଷ ମଣିଷ ଯୁଦ୍ଧରେ ମାତନ୍ତି

ରକ୍ତନଦୀ ଯାଏ ବହି I


ସ୍ଥିର ମନେ ଦିନେ ଏକାନ୍ତେ ଚିନ୍ତିଲି

କେ କହିଲା ମୋର କାନେ

ତୋ ନିଜ ଭିତରେ ଈଶ୍ୱର ଅଛନ୍ତି

ଖୋଜୁ କିଆଁ ଏଣେ ତେଣେ I

       


Rate this content
Log in