STORYMIRROR

Hrushikesh Satpathy

Others

3  

Hrushikesh Satpathy

Others

ଇଚ୍ଛାମୃତ୍ୟୁର ଅଭିଳାଷ

ଇଚ୍ଛାମୃତ୍ୟୁର ଅଭିଳାଷ

1 min
11.8K

ମୃତ୍ୟୁ

ସାର୍ବଜନୀନ

ସତେ କି,ସର୍ଵଜନ ପାଇଁ

ଏକ ବିଧିବଦ୍ଧ,ମହାକାଳ ଫଳ

ବିଭତ୍ସ,କରାଳ

ଜୀବନର ଅନ୍ତିମ ଫର୍ଦ୍ଦରେ

ଦୂଷଣୀୟ ଧୃଷ୍ଟ ଧ୍ରୁବପଦ


ମୃତ୍ୟୁ

ଜୈବିକ ପଣର

ଆଜନ୍ମ ପ୍ରତିଦ୍ବନ୍ଦ୍ବୀ

ଅଥବା,ଜୀବର

ସଂଗ୍ରାମ ଓ ସଂଘର୍ଷ ଭିତରେ,

କ୍ରମାଗତ କ୍ରିୟାଶୀଳତାର

ଅନ୍ତିମ ପରିଣାମ


ଆଶ୍ଚର୍ଯ୍ୟ ଲାଗେ,

ମୃତ୍ୟୁ ବି ସତ୍ୟ ଚାହେଁ

ତା'ର ବି ନିଷ୍ଠା ରହିଛି

ମଣିଷର ଗଣିତ ଆଉ

ବ୍ୟାକରଣ ଭୁଲ୍ ହୋଇପାରେ,

ସେ କିନ୍ତୁ ଶବ୍ଦଶାସ୍ତ୍ରରେ ଏକ 

ନିର୍ଭୁଲ୍,ନିରପେକ୍ଷ ଶବ୍ଦକୋଷ


ଅପମୃତ୍ୟୁ

ହୁଏତ,ମଣିଷର ଅପକର୍ମର

ନିଷ୍ଠୁର,ଅନିୟାମକ,

ଅତର୍କିତ ପ୍ରତିକ୍ରିୟା

ବିଧିପ୍ରଣୋଦିତ

ଅପାଙ୍କ୍ତେୟ ପାଣ୍ଡୁଲିପି

ମୃତ୍ୟୁର ପ୍ରତିଲୋମ ପ୍ରତିଲିପି

ସତେ କି,ନିୟତିର ପୂର୍ବ ସଂରକ୍ଷିତ

ଅବାଧ୍ୟ,ଅବୋଧ୍ୟ ଆଉ 

ପ୍ରପଞ୍ଚ ପରିଶୀଳନ


ମଣିଷର 

ଅହେତୁକ ଔଦ୍ଧତ୍ୟ

ବେପରୁଆ ବ୍ୟକ୍ତିତ୍ୱ

ଅନ୍ୟାଯ୍ୟ ଅଳକଂଷ ପଣ

ଆଉ,ଅନୀଶ୍ବରବାଦର

ବିତର୍କିତ, ଅତର୍କିତ ବିସ୍ଫୁଲିଙ୍ଗ

ନୁହେଁ ତ


ଇଚ୍ଛାମୃତ୍ୟୁ

ନିୟତିର ପରୋକ୍ଷ ସିଦ୍ଧାନ୍ତ 

ଅଥବା,ଅର୍ଦ୍ଧ ସିଦ୍ଧାନ୍ତର ଉପାଖ୍ୟାନ ।

ମଣିଷର ନିଜସ୍ୱ କ୍ରିୟାର

ପ୍ରତିକ୍ରିୟାତ୍ମକ ଆକସ୍ମିକ ଆହ୍ୱାନ ।

ସାମାଜିକ ଅଶାଳୀନତା

ନୀତିଶୀଳ ବ୍ୟକ୍ତିତ୍ୱ ଆଗରେ

ଅନୀତି ଓ ଅସଦାଚରଣର

ପ୍ରତିଫଳିତ ପଦକ୍ଷେପ

ଅନିଚ୍ଛୁକ ଆଗନ୍ତୁକ ହୋଇ ଆସେ

ଆସି,ନିଜେ କାନ୍ଦେ,

ଅନ୍ୟକୁ କନ୍ଦାଇ

ଚାଲିଯାଏ,ସାଙ୍ଗରେ

ନେଇଯାଏ,ଅବୈଧାନିକ ଭାବେ

ଘଟିଥବା ଘଟଣାକ୍ରମକୁ

ସେଇ ଘଟଣାରେ ସମ୍ପୃକ୍ତ ବ୍ୟକ୍ତିତ୍ୱକୁ ।

ମଣିଷର ଅମାନସିକତା

ଅଦୃଶ୍ୟ ଅପହରଣ

ମାନସିକ ନିର୍ଯାତନାର

ଲୁହସବୁକୁ ଆପଣେଇ

ଅନ୍ତର୍ଦ୍ଧାନ ହୋଇଯାଏ ।


ଇଚ୍ଛାମୃତ୍ୟୁ

ବିବଶ ମଣିଷର

ଅବଶ,ଅହେତୁକ

ଭାରାକ୍ରାନ୍ତ ଅବର୍ତ୍ତୁଳ

ମାନସିକତାର ପରିଣାମ ।

ନିର୍ଦୋଷକୁ ଦଣ୍ଡ ଦେବା

ନୁହେଁ ତା'ର ଅଭିଳାଷ

ବରଂ,ଚାହେଁ

ଏମିତି ନ ହେଉ

ଅରାଜକତାର

ଅହେତୁକ ଆକ୍ରମଣରେ

ମଣିଷ ନ ଚାହୁଁ କେବେ

ଇଚ୍ଛାମୃତ୍ୟୁର ବରଦାନ


Rate this content
Log in